ଗାଇସିଲେଟ- ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ କୁଲିଆରୀ ଗ୍ରାମରେ କୋଶଳୀ ଫିଲ୍ମ ‘ନିନ୍ଦା’ ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଦାଦନ ନେଉଥିବା ସର୍ଦ୍ଦାର କିଭଳି ଭାବରେ ଶ୍ରମିକ ମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ପଠାଇଥାନ୍ତି । ଅନେକ ସମୟରେ ବାହାର ରାଜ୍ୟରେ ଶ୍ରମିକ ମାନେ ନିର୍ଯାତିତ ହେଉଥିବା ବେଳେ କିଛି ଶ୍ରମିକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ ଏଭଳି ଅନେକ ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଥାଏ ।

ଏହାକୁ ନେଇ ଲୋକେ ସବୁବେଳେ ସର୍ଦ୍ଦାର କୁ ନିନ୍ଦା ଦେଇଥାନ୍ତି । କାରଣ ଯେଉଁ ସର୍ଦ୍ଦାର କିଛି ଟଙ୍କା ରୋଜଗାର କରିବା ପାଇଁ ନିଜ ଅଞ୍ଚଳରୁ ଅନ୍ୟରଜ୍ୟକୁ ଶ୍ରମିକ ଚାଲାଣ କରି ପରବର୍ତ୍ତୀ ସମୟରେ ତା ପାଖରେ କିଛି ଖୋଜ ଖବର ରଖି ନଥାଏ । ଏଣୁ ଦାଦନ ଶ୍ରମିକର ପରିବାର ବର୍ଗ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଫିଲ୍ମରେ କିନ୍ତୁ କାହାଣୀ ଅଲଗା ପ୍ରକାର ରହିଛି ।

ଦାଦନ ପଠାଉଥିବା ସର୍ଦ୍ଦାର ଶ୍ରମିକଙ୍କୁ ଅନ୍ୟ ରାଜ୍ୟକୁ ପଠାଇବା ସହ ଏଠାରେ ତାଙ୍କର ପରିବାରଙ୍କ ଭଲ ମନ୍ଦ ବୁଝିବା ଓ ଅସୁବିଧା ସମୟରେ ଉକ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ନିଜ ଘରକୁ ପହଞ୍ଚାଇବା ଭଳି ମହାନ କାମ କରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଏହି କାହାଣୀର ମୁଖ୍ୟ ଖଳନାୟକ ମନ ସର୍ଦ୍ଦାର । ଏଭଳି ଏକ ମନଛୁଆଁ କାହାଣୀକୁ ନେଇ ‘ନିନ୍ଦା ‘ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଉଛି ।

ତେବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା ଏହି କାହାଣୀକୁ ରଚନା କରିଥିବା ବେଳେ ନିଜେ ଗୌନ୍ତିଆ ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି । ପ୍ରଥମେ ଗ୍ରାମର ଇଷ୍ଟ ଦେବୀ,ସ୍କ୍ରିପ୍ଟ ଓ କ୍ୟାମେରା କୁ ପଣ୍ଡିତ ନେତ୍ରାନନ୍ଦ ପଣ୍ଡାଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ସୁଟିଙ୍ଗ ଆରମ୍ଭ ହୋଇଥିଲା । ଗୋପିନାଥ ଦଣ୍ଡସେନାଙ୍କ ପ୍ରଯୋଜନାରେ ଏହି ଫିଲ୍ମ ଆରମ୍ଭ ହୋଇଥିବା ବେଳେ ସଂଳାପ,ଗୀତ ଓ ନିର୍ଦ୍ଦେଶକ ଭାବରେ ଚୂଡ଼ାମଣି ମୁଦୁଲି ଦାୟିତ୍ୱ ନିର୍ବାହ କରିଛନ୍ତି ।

ସହକାରୀ ନିର୍ଦ୍ଦେଶକ ଭାବରେ ଲକି ଖମାରୀ କାର୍ଯ୍ୟ କରିଥିବା ବେଳେ ନିଜେ ମନ ସର୍ଦ୍ଦାର ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ସତ୍ୟଜିତ ସାହୁ,ଗୀତାଞ୍ଜଳି ବାରିକ,କୁମୁଦିନୀ ପୃଷ୍ଟି, ପୁଷ୍ପାଞ୍ଜଳୀ ମେହେର, ବୈରାଗୀ ସାହୁ,ଲକ୍ଷ୍ମଣ ଭୋଇ,ରୁଦ୍ର ସାହୁ, କାର୍ତ୍ତିକ ବରିହା,ମହାଦେବ ସାହୁ,ସୌରାଙ୍ଗ ଧରେଇ ପ୍ରମୁଖ ଅଭିନୟ କରୁଛନ୍ତି ।

କ୍ୟାମେରା ମ୍ୟାନ ଭାବରେ ଐବର୍ତ୍ତ ନାଏକ,ଧରଣୀଧର ପଟେଲ ଦାୟିତ୍ୱ ତୁଲାଉଛନ୍ତି । କାଇଁଚ ମିଡିଆ ୟୁଟ୍ୟୁବ ଚେନାଲ୍ରେ ଏହା ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ପ୍ରଯୋଜକ ଶ୍ରୀଯୁକ୍ତ ଦଣ୍ଡସେନା ସୂଚନା ଦେଇଥିବା ବେଳେ ଗ୍ରାମବାସୀ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିବାରୁ ଗ୍ରାମବାସୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।
