କୁଚିଣ୍ଡା(ତପନ ଦାଶ)-ସରକାରୀ ଜମିରୁ ଚୋରୀ ହୋଇଗଲା ହଜାର ହଜାର ଗଛ। ଅଭିଯୋଗ ହେଲା , କିନ୍ତୁ କାର୍ଯ୍ୟାନୁଷ୍ଟାନ ଶୂନ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଗ୍ରାମବାସୀ । ଖାଲି ଗଛ ଗୁଡିକୁ ଜବତ କରି ଚୁପ ରହିଗଲା ଜଙ୍ଗଲ ବିଭାଗ । ଏ ବିଷୟରେ କେହିବି ବଡବଡିଆ ବାବୁ ମୁହଁ ଖୋଲୁନାହାଁନ୍ତି । ଏଭଳି ଏକ ଖବର ଆସିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ କେଶାଇବାହାଲରୁ ।ସାଧାରଣତଃ ଗଛଟିଏ କାଟିବା ପାଇଁ ଅନେକ ନିତିନିୟମ ଅଛି । ସେ ସରକାରୀ ଜମିରେ ଥାଉ ଅବା ନିଜସ୍ୱ ଜମିରେ କିମ୍ବା ରାସ୍ତା କଡରେ । ଛୋଟ ଗଛ ଟିଏ ହେଉ ବା ବଡ , ତାକୁ କାଟିବା ପାଇଁ ଅନେକ ସରକାରୀ ନିୟମ ରହିଛି ।
ହେଲେ କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ କେଶାଇବାହାଲ ଗାଁ ନିକଟ ଗ୍ରାମ୍ୟ ଜଙ୍ଗଲରୁ ବେଆଇନ ଭାବେ ବିନା କୌଣସି ପରିମିଶନରେ ମାଫିଆ କାଟିନେଲେ ହଜାର ହଜାର ଇଉକାଲି ପଟାସ ଗଛ । ତେବେ ଗ୍ରାମବାସୀ ଏହାକୁ ବିରୋଧ କରି ତହସିଲଦାର ବାମରା , ରେଞର କେଶାଇବାହାଲ , ଡିଏଫଓ ବାମରାଙ୍କୁ ଜଣାଇଥିଲେ । ସମସ୍ତେ ଆସି ସ୍ଥିତି ଅନୁଧ୍ୟାନ ପରେ ଲୋଡ ହୋଇଥିବା ଏକ ଦଶ ଚକିଆ ଟ୍ରକକୁ ଅଟକ ରଖିବା ସହ କଟାଯାଇଥିବା କାଠ କୁ ଜବତ କରି ଚୁପ ହୋଇ ବସିଯାଇଛନ୍ତି । ଆଗରୁ ଦୁଇଟି କାଠ ବୋଝେଇ ଟ୍ରକ ଫେରାର ହୋଇଯାଇଥିବା ବେଳେ ଅଟକ ରଖିଥିବା ଟ୍ରକକୁ ମଧ୍ୟ ଛାଡିଦେଇଥିବା ଶୁଣିବାକୁ ମିଳିଛି ।
ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଙ୍ଗଲ ବିଭାଗ କଟାଯାଇଥିବା ଗଛ ଗୁଡିକର ସଠିକ ଆକଳନ ନ କରି ଅଳ୍ପ କେତେକ ଗଛକୁ ମାର୍କିଂ କରି ଅନ୍ୟ ଗଣ୍ଡି ଓ ମୁଳକୁ ଡାଳ ପତ୍ରରେ ଘୋଡାଇ ଦେଇଥିବା ବେଳେ ଏ ବିଷୟରେ ରେଞର କିମ୍ବା ଡିଏଫଓ ମୁହଁ ଖୋଲି ନ ଥିବା ବେଳେ ଫରେଷ୍ଟଗାର୍ଡ ତପସ୍ଵିନୀ ରାଉତ ଓ ଆର.ଆଇ ପୁର୍ଣ୍ଣଚନ୍ଦ୍ର ହୋତା ନିଜ ନଜି କାମ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେଇଥିବା କହିଛନ୍ତି । ଅନ୍ୟ ପଟେ ବରିଷ୍ଟ ଆଇନଜୀବୀ ରଞନ ଶର୍ମା କହିଛନ୍ତି ବେଆଇନ ଗଛ କାଟିବା ନେଇ ଅନେକ ଆଇନ ସହ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ଅଛି ।
ସରକାରୀ ଜମି ଜଙ୍ଗଲରେ ଥିବା ଯେ କୌଣସି ବି ଗଛ କାଟିବା ଏକ ଧର୍ତ୍ତବ୍ୟ ଅପରାଧ । ତେଣୁ ଏ ବିଷୟରେ ସଂପୃକ୍ତ ବିଭାଗୀୟ ଅଧିକାରୀ ଦୃଢ ରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ବୋଲି କହିଛନ୍ତି । ଗଛ କାଟିବା ବ୍ୟକ୍ତି ଓ ବ୍ୟବହୃତ ଗାଡିକୁ ବିନା ତଦନ୍ତ ରେ ଛାଡିବା ଏହା କେଉଁଠି ନା କେଉଁଠି ଆଇନ ଆଖିରେ ଧୁଳି ଦେବାକୁ ଚେଷ୍ଟା କରାଯାଉଥିବା ନେଇ କହିଛନ୍ତି । ତେବେ ଏ ସଂପର୍କରେ କେଶାଇବାହାଲ ଗ୍ରାମ୍ୟ ସୁରକ୍ଷା କମିଟି , ଜଙ୍ଗଲ ସୁରକ୍ଷା କମିଟି ତରଫରୁ ଜିଲ୍ଲାପାଳ , ବିଭାଗୀୟ ଉପରିସ୍ଥ ଅଧିକାରୀ , ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଙ୍କୁ ମେଲ ଯୋଗେ ଲିଖିତ ଅଭିଯୋଗ କରିଥିବା ବେଳେ ଜଙ୍ଗଲୀ ମାଫିଆଙ୍କ ସହ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଥିବା ନେଇ ସନ୍ଦେହ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।