
ବାଉଁଶୁଣୀ(ଉମାକାନ୍ତ ମହାକୁଳ)-କୃଷକ ଓ କୃଷି ବିଭାଗକୁ ଗୁରୁତ୍ୱ ଦିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ, ବୌଦ୍ଧ ଭଳି ଏକ କୃଷି ପ୍ରଧାନ ଜିଲ୍ଲାରେ କୃଷି ବିଭାଗକୁ କିଭଳି ଅବହେଳା କରାଯାଉଛି ତାହା ସଦର ବ୍ଲକର ବାଉଁଶୁଣୀରେ ଦେଖିବାକୁ ମିଳିଛି। ବାଉଁଶୁଣୀ ଠାରେ ଥିବା ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ ଅଟେ। ଏହି କାର୍ଯ୍ୟାଳୟ ଆଜିକୁ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ବାଉଁଶୁଣୀ ଠାରେ କାର୍ଯ୍ୟ କରି ଆସୁଛି। ଏହା ବୌଦ୍ଧ ବ୍ଲକର ୨ଗୋଟି ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରୁ ଗୋଟିଏ କାର୍ଯ୍ୟାଳୟ ଅଟେ।

ଏହି କାର୍ଯ୍ୟାଳୟ ଅଧୀନରେ ୧୫ଟି ପଞ୍ଚାୟତର ଚାଷୀମାନେ କୃଷି ସମ୍ବନ୍ଧୀୟ ବିଭିନ୍ନ ପରାମର୍ଶ ପାଇବା ସହ ଚାଷ ପାଇଁ ବିଭିନ୍ନ ପ୍ରକାର ବିହନ ଓ କୀଟନାଶକ ସାମଗ୍ରୀ ଅତି ସହଜରେ ପାଇ ପାରୁଥିଲେ। ହେଲେ ୬ବର୍ଷ ପୂର୍ବରୁ ଏଠାରେ ଅବସ୍ଥାପିତ ସହକାରୀ କୃଷି ଅଧିକାରୀ ରବିନାରାୟଣ ପଣ୍ଡାଙ୍କ ଅବସର ଗ୍ରହଣ ପରେ ଆଉ ନୂଆ କୃଷି ଅଧିକାରୀଙ୍କୁ ବାଉଁଶୁଣୀରେ ନିଯୁକ୍ତ କରାଗଲା ନାହିଁ। ଫଳରେ କାର୍ଯ୍ୟାଳୟଟି କାର୍ଯ୍ୟକ୍ଷମ ନହୋଇ ପଡି ରହିବା ଯୋଗୁଁ ଜରାଜୀର୍ଣ୍ଣ ହୋଇ ବର୍ତ୍ତମାନ ଭୁତକୋଠି ଭଳି ପଡିରହିଛି। ଅଧିକାରୀ ଅବସ୍ଥାପିତ ଓ କାର୍ଯ୍ୟାଳୟର ମରାମତି ନେଇ ଗତ କିଛି ବର୍ଷ ହେଲା ବିଭିନ୍ନ ଗଣମାଧ୍ୟମରେ ଲଗାତାର ଭାବେ ଖବର ପ୍ରକାଶିତ ହୋଇ ଆସୁଛି। ବାରମ୍ବାର ଖବର ପ୍ରକାଶନ ହେବାରୁ ଗତ ବର୍ଷ ଜୁଲାଇ ମାସରେ ଜଣେ ସହକାରୀ କୃଷି ଅଧିକାରୀଙ୍କୁ ଏଠାରେ ନିଯୁକ୍ତ କରାଯାଇଛି।

ହେଲେ ଅଧିକାରୀ ନିଯୁକ୍ତ ହେବାର ୨ବର୍ଷରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟାଳୟଟି ବ୍ୟବହାର ଉପଯୋଗୀ ଅବସ୍ଥାରେ ନଥିବାରୁ ଏଠାରେ ଅବସ୍ଥାପିତ ଅଧିକାରୀ ଜଣକ ଅଫିସ କାର୍ଯ୍ୟ କରିପାରୁ ନାହାନ୍ତି। କାର୍ଯ୍ୟାଳୟଟି ଅଚଳ ଅବସ୍ଥାରେ ରହିଥିବାରୁ ବର୍ତ୍ତମାନ ଅଧିକରୁ ଅଧିକ ଜରାଜୀର୍ଣ୍ଣ ହୋଇ ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଆସି ଗଲାଣି। କୃଷି ପ୍ରଧାନ ଜିଲ୍ଲାରେ କୃଷି ବିଭାଗ ପ୍ରତି ସରକାରଙ୍କ ଏଭଳି ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣୁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏଠାରେ ଥିବା ପ୍ରତିବନ୍ଧକକୁ ଶୀଘ୍ର ଦୂର କରି କାର୍ଯ୍ୟାଳୟର ମରାମତି କରାଯାଇ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀ ମହଲରୁ ଦୃଢ଼ ଦାବି ହେଉଅଛି।


