Saturday, March 7, 2026
Homeରାଜ୍ୟକୃଷକ ସଙ୍ଗଠନ ପକ୍ଷରୁ ଭେଡେନ ତହସିଲଦାରଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ।

କୃଷକ ସଙ୍ଗଠନ ପକ୍ଷରୁ ଭେଡେନ ତହସିଲଦାରଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ।

ଭେଡେନ-ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭେଡେନ ବ୍ଲକ କୃଷକ ସଙ୍ଗଠନ ନେତୃତ୍ୱରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଚାଷୀ ସମାଜର ବୃହତ୍ତର ସ୍ବାର୍ଥ ସମ୍ବଳିତ ଏମ୍.ଏସ୍.ପି ଗ୍ୟାରେଣ୍ଟି କାନୁନ ଲାଗୁ, ଋଣଛାଡ଼, ପେନସନ ବ୍ୟବସ୍ଥା , ସ୍ମାର୍ଟ ମିଟର ପ୍ରତ୍ୟାହାର, କମ୍ପାନୀ କରଣ ବନ୍ଦ ଆଦି ୧୨ଦଫା ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଶତାଧିକ ଚାଷୀ ପ୍ରତିନିଧି ସ୍ଥାନୀୟ ବାବା ସିଦ୍ଧେଶ୍ୱର ମନ୍ଦିରରୁ ଏକ ବାଇକ୍ ରେଲିରେ ବାହାରି ସହର ପରିକ୍ରମା ପୂର୍ବକ ତହସିଲ ଅଫିସରେ ପହଞ୍ଚିଥିଲେ।

ସେଠାରେ ସଂଯୁକ୍ତ କୃଷକ ସଙ୍ଗଠନ, ବରଗଡ଼ର ଉପଦେଷ୍ଟା ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇ ଅନ୍ନଦାତାର ଜୀବନ ଓ ଜୀବିକାକୁ ସୁବ୍ୟବସ୍ଥିତ କରିବା ପାଇଁ ସର୍ବ ଭାରତୀୟ ସ୍ତରରେ କାର୍ଯ୍ୟରତ ସଂଯୁକ୍ତ କିସାନ୍ ମୋର୍ଚ୍ଚା ନେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ସହିତ ଗତ ଖରିଫ ୨୦୨୩ରେ ହୋଇଥିବା ମିଗଜୋମ୍ ବାତ୍ୟା ଜନିତ କ୍ଷତିପୂରଣ ସକାଶେ ବୀମା ଅର୍ଥ ଆଜି ପର୍ଯ୍ୟନ୍ତ ଅର୍ଦ୍ଧାଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ରିଲାଏନ୍ସ କମ୍ପାନୀ ଦେଇ ନଥିବା ହେତୁ ସମଗ୍ର ଭେଡେନ ବ୍ଲକ ଅଞ୍ଚଳରେ ତା’ର ସଂପୃକ୍ତିରେ ହେଉଥିବା କ୍ରପ୍ କଟିଙ୍ଗ୍ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ତହସିଲଦାରଙ୍କୁ ଅନ୍ୟ ଏକ ଦାବିପତ୍ର ଦିଆଯାଇ ଶୀଘ୍ର ବକେୟା ରାଶି ଦେବା କାର୍ଯ୍ୟକୁ ତ୍ବରାନ୍ବିତ କରିବାଲାଗି ଜଣାଇଥିଲେ।

ଅନ୍ୟଥା ଆସନ୍ତା ଡ଼ିସେମ୍ବର ୨୦ ତାରିଖରେ ପୂର୍ବରୁ ସ୍ଥଗିତ ଥିବା ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଥିଲେ। ଆଇନ୍ ପରାମର୍ଶଦାତା ନରେନ୍ଦ୍ର ଭୋଇଙ୍କ ସଂଯୋଜନାରେ ପରିଚାଳିତ ଏହି ସମାବେଶରେ ସଙ୍ଗଠନ ସଂପାଦକ ସୁଦାମ ପାତ୍ର ଉଦ୍ଦେଶ୍ୟ ଜ୍ଞାପନ , ପ୍ରଭାତ ମିଶ୍ର ଓ ନନ୍ଦିଘୋଷ ମିଶ୍ର ପରବର୍ତ୍ତୀ ଆନ୍ଦୋଳନ ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ଶେଷରେ ସୋମନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!