କୁଚିଣ୍ଡା(ତପନ ଦାଶ)-ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଦିନକୁ ଆଜି ସରକାର ଜନଜାତୀୟ ଦିବସ ରୂପେ ପାଳନ କରୁଥିବା ବେଳେ, ସମ୍ବଲପୁର ଜିଲ୍ଲା ସ୍ତରୀୟ ଜନ ଜାତୀୟ ଗୌରବ ଦିବସ କୁଚିଣ୍ଡା କଲେଜ ପଡିଆ ଠାରେ ଅନୁଷ୍ଠିତ ହୋଇଛି। ସମ୍ବଲପୁର ଜିଲ୍ଲାପାଳ ଡ଼. ସିଧେଶ୍ୱର ବାଳିରାମ ବନ୍ଦରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜନଜାତୀୟ ଗୌରବ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗ୍ରାମଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ର ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇ ବିର୍ସା ମୁଣ୍ଡା ଙ୍କ ଗୌରବାନ୍ୱିତ ଅଧ୍ୟାୟ ର ସ୍ମୁତି ଚାରଣ କରିଥିଲେ।
ଏଥି ସହିତ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଙ୍କୁ ସମ୍ବୋଧନ କରିବା ସହ ଦେଶବାସୀ ଙ୍କ ଉଦେଶ୍ୟରେ ୬୬୦୦ କୋଟି ଟଙ୍କା ଯୋଜନାର ଶୁଭାରମ୍ଭ, ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ଏଥିରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ। ଏହି ଅବସରରେ ଉପଖଣ୍ଡ ର ବହୁ ଯୋଗ୍ୟ ହିତାଧିକାରୀ ଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବା ସହ ୧ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦିଆଯାଇଛି।
କାର୍ଯ୍ୟକ୍ରମରେ ଆଦିବାସୀ ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଆଦିବାସୀ ସଂସ୍କୃତି ଓ ପରଂପରା ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା। ଅନ୍ୟ ପଟେ ଜନଜାତୀୟ ଗ୍ରାମ୍ୟ ଉତ୍କର୍ସ ଅଭିଯାନର ଲୋକାର୍ପଣ କରାଯିବା ସହ ସମ୍ବଲପୁର ଜିଲ୍ଲା କୁ ଏଥିରେ ସାମିଲ କରାଯାଇ, ଜିଲ୍ଲାର ୯୭ ଗୋଟି ଗ୍ରାମ ପଞ୍ଚାୟତର ୨୬୨ ଗାଁ କୁ ସାମିଲ କରାଯାଇଛି।