Saturday, March 7, 2026
Homeରାଜ୍ୟଓସିଏ ଅମ୍ପାୟାର ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କଲେ ହୋନୁ ଅଗ୍ରୱାଲ।

ଓସିଏ ଅମ୍ପାୟାର ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କଲେ ହୋନୁ ଅଗ୍ରୱାଲ।

ପଦ୍ମପୁର-କ୍ରିକେଟ ଅମ୍ପାୟାର ପରୀକ୍ଷାରେ ରାଜ୍ୟସ୍ତରରେ ଶୀର୍ଷରେ ରହି ପଦ୍ମପୁର ଉପଖଣ୍ଡ କୁଚିପାଲି ଗାଁ ତଥା ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ହୋନୁ ଅଗ୍ରୱାଲ। ବରଗଡ଼ ଜିଲ୍ଲା କୁଚି଼ପାଲି ଗ୍ରାମର ଜିତେନ୍ଦ୍ର ଅଗ୍ରୱାଲ ଓ ସନ୍ତୋଷୀ ଅଗ୍ରୱାଲଙ୍କ ୨୨ ବର୍ଷୀୟ ସୁପୁତ୍ର ହୋନୁ ଅଗ୍ରୱାଲ ଓଡି଼ଶା କ୍ରିକେଟ ଜଗତରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ନିକଟରେ ଅନୁଷ୍ଠିତ ଓଡ଼ିଶା କ୍ରିକେଟ ଆସୋସିଏସନ ଅମ୍ପାୟାର ପରୀକ୍ଷାରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଜଣେ ମେଧାବୀ ଛାତ୍ର ତଥା ନିଷ୍ଠାପର କ୍ରୀଡ଼ା ପ୍ରେମୀ ଭାବେ ପରିଚିତ ହୋନୁ କୁଚିପାଲି ପଞ୍ଚାୟତ ହାଇସ୍କୁଲରୁ ମାଟ୍ରିକ ଏବଂ ପଦ୍ମପୁର ଜୟଦେବ ଇନଷ୍ଟିଚ୍ୟୁଟରୁ ସ୍ନାତକ ଡିଗ୍ରୀ ହାସଲ ପରେ ବର୍ତ୍ତମାନ ବିଏଡ଼ ପାଠ୍ୟକ୍ରମରେ ଅଧ୍ୟୟନରତ।

ଏହି ସଫଳତା ପାଇଁ ସେ ନିଜ ପିତାମାତାଙ୍କ ଆଶୀର୍ବାଦ, ବରିଷ୍ଠ ଓସିଏ ଅମ୍ପାୟାର ନାରାୟଣ ମେହେର, ସଚ୍ଚିଦାନନ୍ଦ ପଣ୍ଡା ଓ ଅକ୍ଷୟ ସାହାଣୀ‌ଙ୍କ ମାର୍ଗଦର୍ଶନ ଏବଂ କ୍ରିକେଟ ପରିବାରର ସମସ୍ତ ସଦସ୍ୟଙ୍କ ସମର୍ଥନ ପାଇଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି। କେବଳ ତାଙ୍କ ପରିବାର ନୁହେଁ, ବରଗଡ଼ ଜିଲ୍ଲା ପାଇଁ ଏକ ବଡ଼ ସମ୍ମାନ। ଆଗାମୀ ଦିନରେ ସେ ବଡ଼ ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାରିଂ କରିବାର ମାର୍ଗ ପ୍ରଶସ୍ତ ହୋଇଛି। ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

error: Content is protected !!