ସୋହେଲା-ସୋହେଲା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କନଗାଁର ଭାରପ୍ରାପ୍ତ ଅଧ୍ୟକ୍ଷ ଚିତ୍ତରଞ୍ଜନ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କର ମନୋରଞ୍ଜନ ଓ ପ୍ରତିଭାର ବିକାଶ ନିମନ୍ତେ ବାର୍ଷିକ ଉତ୍ସବ ‘ଉତ୍ସବ’ ଉଦଯାପିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର ମେହେର, ମୁଖ୍ୟ ବକ୍ତା ଭାବରେ ନୃସିଂହନାଥ ଆୟୁର୍ବେଦିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋହର ଉଟି, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଶ୍ରୀଯୁକ୍ତ ଗିରିଜା ଶଙ୍କର ଆଚାର୍ଯ୍ୟ, ପ୍ରକୃତିବନ୍ଧୁ ରାମଚନ୍ଦ୍ର ସାହୁ ଯୋଗଦାନ କରି ପିଲାମାନଙ୍କୁ ଉତ୍ସାହ ଦେଇ ଉତ୍ସବକୁ ସଫଳ କରିଥିଲେ।
ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ, ସପ୍ତମ ଶ୍ରେଣୀର ଅଭିପ୍ସା ଏବଂ ସଞ୍ଜଳୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା। ଷଷ୍ଠ ଶ୍ରେଣୀର ଛାତ୍ର ପୀୟୂଷ ପ୍ରଧାନ ଅତିଥିଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଦଶମ ଶ୍ରେଣୀର ଛାତ୍ରୀ ଶାଳିନୀ ଚୌହାନ ଏବଂ ଛାତ୍ର ସିଦ୍ଧି ସାଇ ପ୍ରସାଦ ସାହୁ ମଞ୍ଚ ପରିଚାଳନା ଦାୟିତ୍ୱ ତୁଳାଇଥିଲେ । ଶ୍ରୀଯୁକ୍ତ ଶତପଥୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଇଂରାଜୀ ଶିକ୍ଷକ ଶ୍ରୀଯୁକ୍ତ ସୁଧୀର ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାର ଏବଂ ଶ୍ରୀଯୁକ୍ତ ପ୍ରମୋଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ହୋଇଥିବା ସହ ପାଠ୍ୟକ୍ରମ ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଉକ୍ତ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ଶ୍ରୀଯୁକ୍ତ ଦୀପକ କୁମାର ମିଶ୍ର ଏବଂ ସାମାଜିକ ବିଜ୍ଞାନର ଶିକ୍ଷୟିତ୍ରୀ ରିନୁ ପ୍ରଧାନ। ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମଟି ସଂସ୍କୃତ ଶିକ୍ଷକ ଜୟପ୍ରକାଶ ଦାସ, ବିଜ୍ଞାନ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ, ଓଡ଼ିଆ ଶିକ୍ଷୟିତ୍ରୀ ତପସ୍ୱିନୀ ସାହୁ, ଇଂରାଜୀ ଶିକ୍ଷକ ମକୁନ୍ଦ ମେହେର ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁରୁଖୁରୁରେ ପରିଚାଳିତ ହୋଇଥିଲା। ବାଦ୍ୟଯନ୍ତ୍ରର ଦାୟିତ୍ୱ ତୁଳାଇଥିଲେ ଗଣିତ ଶିକ୍ଷକ ପୌଲସ୍ତି ସାହୁ। ଶୃଙ୍ଖଳା ବଜାୟ ରଖିଥିଲେ ଗଣିତ ଶିକ୍ଷକ ଯୋଜନ ନାଏକ ଏବଂ ଶେଷରେ ସାମାଜିକ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଆଦିତ୍ୟ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଉତ୍ସବକୁ ଆହୁରି ମୁଖରିତ କରିବା ପାଇଁ ସହ କର୍ମଚାରୀବୃନ୍ଦ ଚୂଡ଼ାମଣି ସାହୁ, ସୁଦାମ ସାହୁ, ସଦାନନ୍ଦ ବିଶ୍ୱାଳ ଏବଂ ଛାତ୍ରଛାତ୍ରୀଗଣ ସହଯୋଗ କରିଥିଲେ।