Friday, June 13, 2025
spot_imgspot_imgspot_img
Homeରାଜ୍ୟଏନ୍.ଏ.ସି. ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ଅସନ୍ତୋଷ ଜାହିର କଲେ କାଉନସିଲର।

ଏନ୍.ଏ.ସି. ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ଅସନ୍ତୋଷ ଜାହିର କଲେ କାଉନସିଲର।

ପଦ୍ମପୁର-ଗତ ଦୁଇ ମାସ ପୂର୍ବରୁ ପଦ୍ମପୁର ଏନ୍ ଏ ସି ର ନିର୍ବାହୀ ଅଧିକାରୀ ଭାବରେ ଜଣେ ଯୁବ ଆଇଏଏସ୍ ତଥା ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଦାୟିତ୍ବ ଗ୍ରହଣ କରିଛନ୍ତି। ଜଣେ ଯୁବ ଆଇଏଏସ୍ ଙ୍କ ଦାୟିତ୍ବ ଗ୍ରହଣ ପରେ ପଦ୍ମପୁର ଏନ୍ ଏ ସି ରେ କିଛି ପରିବର୍ତ୍ତନର ଆଶା ନେଇ ପଦ୍ମପୁର ଜନସାଧାରଣଙ୍କ ସହ ଏନ୍ ଏ ସି ର କାଉନସିଲର ମାନେ ମଧ୍ୟ ଅତ୍ୟନ୍ତ ଖୁସି ହୋଇଥିଲେ । ଓଡିଶାରେ ନୂତନ ସରକାର ଗଠନ ପରେ ସହରରେ ଧିମେଇ ଯାଇଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ପୁନାରମ୍ଭ ତଥା ଆହୁରି ଅନେକ ନୁଆ ପ୍ରକଳ୍ପ କାମ ହେବ ବୋଲି ସମସ୍ତ କାଉନସିଲର ମାନେ ଆଶା ବାନ୍ଧିଥିଲେ । ହେଲେ ପଦ୍ମପୁରର ଦୁର୍ଭାଗ୍ୟର ଏହା କି ଉପଜିଲ୍ଲାପାଳ ଏନଏସିର ଦାୟିତ୍ବ ଗ୍ରହଣ କରିବାରୁ ଏନଏସି ଏକ ପ୍ରକାର ପ୍ରକାର ସ୍ଥାନୁ ପାଲଟି ଯାଇଥିବା ଯୁବ କାଉନସିଲର ପ୍ରିୟରଞ୍ଜନ ଭୋଇ ଅଭିଯୋଗ କରିଛନ୍ତି ।

ସେ ଆହୁରୀ ଅଭିଯୋଗ କରିଛନ୍ତି କି ସାଧାରଣ ଲୋକେ ଆପତ୍ତି ଅଭିଯୋଗ ପାଇଁ କାର୍ଯ୍ୟାଳୟକୁ ଆସି ନିର୍ବାହୀ ଅଧିକାରୀଙ୍କୁ ନ ପାଇ ନିରାଶ ହୋଇ ଫେରୁଛନ୍ତି । ସହରରେ ଶୀତଳଷଷ୍ଠୀ ଯାତ୍ରା ହେଲା କିନ୍ତୁ ସେହି ସମୟରେ ମଧ୍ୟ ସହରର ଅର୍ଦ୍ଧେକ ଷ୍ଟ୍ରିଟଲାଇଟ୍ ଅଚଳ ହୋଇ ପଡ଼ି ରହିଥିଲା । ବର୍ତ୍ତମାନ୍ ସହରର ମୁଖ୍ୟ ଆକର୍ଷଣ ପାଲଟିଥିବା ତଥା ବାହାର ଲୋକଙ୍କ ନଜରକୁ ଆସୁଥିବା ବଡବନ୍ଧ ଓ ଭେଉଁରିଆ ଛକରେ ଥିବା ଘଡି । ବଡ଼ବନ୍ଧରେ ଜାତୀୟ ପତାକା ଲଗାଇବା ପାଇଁ ଥିବା ଖମ୍ବରୁ ପତାକା ପ୍ରାୟ ଦୁଇ ମାସ ପୂର୍ବରୁ ଜୋର୍ ପବନରେ ଫାଡ଼ି ଯାଇଥିଲା, କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଖାଲି ପଡ଼ିଛି । ଏହା ସହ ଭେଉଁରିଆ ଛକରେ ଲାଗିଥିବା ଘଡିର ମରାମତି ପାଇଁ ମଧ୍ୟ ଅନେକ ଥର କହିବା ସତ୍ତ୍ୱେ ମଧ୍ୟ କିଛି ପଦକ୍ଷେପ ନିଆ ଯାଇନି । ସହରର ଅନେକ ସ୍ଥାନରେ ପାନୀୟ ଜଳ ଯୋଗାଣ ପାଇପରେ ଡ୍ରେନ ପାଣି ପଶି ଘର ମାନଙ୍କୁ ସପ୍ଲାଇ କରାଯାଉଛି ।

ଏ ସମ୍ପର୍କରେ ମଧ୍ୟ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ସହର ମଧ୍ୟରେ ଯାଇଥିବା କେନାଲକୁ ଡ୍ରେନ ଭାବରେ ଲୋକେ ବ୍ୟବହାର କରୁଛନ୍ତି ଓ ଏହାକୁ ଏନ୍ଏସି ସଫା କରିବ ନା ଜଳସେଚନ ବିଭାଗ କରିବ, ତାର ସମାଧାନ କରି ବର୍ଷା ପୂର୍ବରୁ କେନାଲକୁ ସଫା କରାଇବା ପାଇଁ କାଉନସିଲର ପ୍ରିୟରଞ୍ଜନ ଭୋଇ ଅନେକ ଥର ଉପଜିଲ୍ଲାପାଳ ତଥା ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହ ଅଧିକାରୀ ଙ୍କୁ କାଉନସିଲ ମିଟିଂ ତଥା ତାଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ଅନୁରୋଧ କରିଥିଲେ, ହେଲେ ତାହାର ମଧ୍ଯ ସମାଧାନ ହୋଇପାରୁନି । ବର୍ଷା ପୂର୍ବରୁ ସହରର ବର୍ଷାଜଳ ନିଷ୍କାସନର ସୁବ୍ୟବସ୍ଥା କରିବା ପାଇଁ ଆଜି ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ କୌଣସି ଆନ୍ତରିକତା ଦେଖାଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି ।

ସମସ୍ୟା ବିଷୟରେ ଉପଜିଲ୍ଲାପାଳଙ୍କୁ ଜଣାଇଲେ କାମ ହୋଇଯିବ କହି ଦିଅନ୍ତି, କିନ୍ତୁ କୌଣସି କାମ ହେଉ ନାହିଁ । ଯଦି ତାଙ୍କ ବ୍ୟସ୍ତବହୁଳତା ଯୋଗୁଁ ଏନଏସିର କାମ ଦେଖିପାରୁ ନାହାଁନ୍ତି, ତା ହେଲେ ତ ଭିନ୍ନ କଥା । ଯଦି ଉପଜିଲ୍ଲାପାଳଙ୍କ ଆଦେଶକୁ ବିଭାଗର ତଳିଆ କର୍ମଚାରୀ ମାନେ କାମ କରୁନାହାଁନ୍ତି, ତା ହେଲେ ଏହା ଆହୁରି ସାଙ୍ଘାତିକ ବିଷୟ । କାମ କରିବାର ଆନ୍ତରିକତା ନ ଥିବା ଓ କାମ କରାଇ ନ ପାରିବା ଦୁଇଟା ଭିନ୍ନ ବିଷୟ ଏବଂ ଦୁଇଟା ଯାକ ପଦ୍ମପୁର ବାସୀଙ୍କ ପାଇଁ ବିପଦଜନକ ଏବଂ ଯଥାଶୀଘ୍ର ପଦ୍ମପୁର ସହରର ଉନ୍ନତିକରଣ ସକାଶେ ପଦକ୍ଷେପ ନେବାକୁ କାଉନସିଲର ଶ୍ରୀ ଭୋଇ ଦାବି କରିଛନ୍ତି ।

error: Content is protected !!