
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଓଡିଶା ଓ ଛତିଶଗଡ ରାଜ୍ୟର ସିମାନ୍ତରେ ରହିଛି । ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲର ଚର୍ଦାପାଲି ପଞ୍ଚାୟତ ଏକଦା ବର୍ଷା ସମୟରେ ବିଛିନ୍ନାଞ୍ଚଳ ପାଲଟି ଯାଉଥିଲା । ଏଠାକୁ ଲୋକଙ୍କ ଯିବା ଆସିବା କରିବା ପାଇଁ ଏକାକି ଡଙ୍ଗା ଭରସା ରହିଥିଲା । ଏଠାକାର ଲୋକମାନେ ସରକାରୀ କାମ ବ୍ୟତୀତ ସବୁ କାମ ପାଇଁ ବର୍ଷା ସମୟରେ ପ୍ରାୟତଃ ପଡୋଶୀ ଛତିଶଗଡ ଉପରେ ଭରସା କରୁଥିଲେ । ସରକାରୀ କାମ ପାଇଁ ଲୋକମାନେ ଡଙ୍ଗାରେ ଅଙ୍ଗନଦୀ ପାର ହୋଇ ପଦ୍ମପୁର କିମ୍ବା ପାଇକମାଲ ବ୍ଲକକୁ ଯିବା ଆସିବା କରୁଥିଲେ । ୨୦୨୩ ମସିହାରେ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ହେବା ଦ୍ୱାରା ଲୋକମାନେ ସୁବିଧାରେ ଯିବା ଆସିବା କରିଥିଲେ ।

ଗ୍ରାମପଞ୍ଚାୟତ ଠାରୁ ବ୍ଲକ ମୁଖ୍ୟାଳୟକୁ ସୁବିଧାରେ ଗମନାଗମନ ପାଇଁ ବସ ସେବା ଆରମ୍ଭ ହୋଇଥିଲା । ଏହି ବସ ଗୁଡିକ ଗ୍ରାମପଞ୍ଚାୟତର ମୁଖ୍ୟାଳୟକୁ ଯାଇଥାଏ । ଗ୍ରାମପଞ୍ଚାୟତର ମୁଖ୍ୟାଳୟରେ ପାଞ୍ଚ ଲକ୍ଷ ଟଙ୍କା ବିନିମୟରେ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ହୋଇଥିଲା । ହେଲେ ଓଡିଶା ଛତିଶଗଡ ସିମାନ୍ତ ଚର୍ଦାପାଲି ଗ୍ରାମ ପଞ୍ଚାୟତରେ ନିର୍ମାଣ ହୋଇଥିବା ଯାତ୍ରୀ ପ୍ରତିକ୍ଷାଳୟକୁ ଦେଖିଲେ ଏବେ ଲୋକଙ୍କ ପାଇଁ ଅଲିଆ ଗଦା ପାଲଟି ଥିବା ଭଲି ମନେ ହେଉଛି । ଏଠାରେ ଲୋକମାନେ ନିଜ ଘରର ଅଲିଆ ପକାଇବା ସହ ସେଠାରେ କିଛି ପୋଡାପୋଡି କରୁଥିବାର ଚିତ୍ର ଦେଖିବାକୁ ମିଲୁଛି ।

ତେବେ ଏଠି ପ୍ରଶ୍ନ ଉଠୁଛି କି ଏହି ଉପାନ୍ତ ଅଞ୍ଚଳକୁ ଲକ୍ଷ୍ମୀବସ ନିୟମିତ ଆସୁଛି ନା ନାହିଁ । ଯଦି ବସ ଆସୁଛି ତେବେ ଯାତ୍ରୀମାନେ କେଉଁ ଜାଗାରେ ବସକୁ ଅପେକ୍ଷା କରୁଛନ୍ତି । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଲାଗି ରହିଥିବା ଯାତ୍ରୀ ପ୍ରତିକ୍ଷାଳୟ ଉପରେ ନିର୍ବାଚିତ ପ୍ରତିନିଧି ତଥା ସରକାରୀ କର୍ମଚାରୀ ମାନଙ୍କ ନଜର ପଡୁନାହିଁ କାହିକି ତାହା ଏବେ ପ୍ରଶ୍ନବାଚୀ । ଜନସାଧାରଣଙ୍କ ଟିକସ ପଇସାରେ ତିଆରି ହୋଇଥିବା ଯାତ୍ରୀ ପ୍ରତିକ୍ଷାଳୟ ଉପରେ ପ୍ରଶାସନର ନଜର କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।



