Saturday, March 7, 2026
Homeରାଜ୍ୟଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତନଖି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ ।

ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତନଖି ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ ।

ଭୁବନେଶ୍ୱର – ରାଜ୍ୟର ଉଚ୍ଚ ଶିକ୍ଷା ଅନୁଷ୍ଠାନମାନଙ୍କରେ ବିଶେଷ କରି ବଡ ସମ୍ମିଳନୀ କକ୍ଷ ଥିବା ଅନୁଷ୍ଠାନମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ପ୍ରତିଷେଧକମୂଳକ ତନଖି ଉପରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି । ଚଳିତ ସେପ୍ଟେମ୍ବର ୩ ତାରିଖ ଦିନ ରାଜ ଭବନରେ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ବିଭାଗ ଦ୍ୱାରା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା ସଂପର୍କିତ ଉପସ୍ଥାପନା ଦେଖିବା ଅବସରରେ ରାଜ୍ୟପାଳ ଏପରି ଗୁରୁତ୍ୱାରୋପ କରିଛନ୍ତି । ବିଭାଗର ଉପକରଣ, କର୍ମଚାରୀ, ତାଲିମ କାର୍ଯ୍ୟକ୍ରମ ଏବଂ ଭବିଷ୍ୟତ ଯୋଜନା ସଂପର୍କରେ ଅବଗତ ହେବା ପରେ ରାଜ୍ୟପାଳ କହିଥିଲେ ଯେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ପ୍ରତିଷେଧମୂଳକ ଯାଂଚ ସମ୍ଭାବ୍ୟ ବିପଦ ଚିହ୍ନଟ କରିବାରେ ଏବଂ ସମୟୋଚିତ ସଂଶୋଧନମୂଳକ ପଦକ୍ଷେପ ନେବାରେ ସାହାଯ୍ୟ କରିଥାଏ ।

ଏତଦ୍ବ୍ୟତୀତ ଏହାଦ୍ୱାରା ଆପଦକାଳୀନ ସମୟରେ ସୁରକ୍ଷିତ ସ୍ଥାନାନ୍ତର ପଥ ସୁନିଶ୍ଚିତ ହୋଇଥାଏ, ଆଘାତ କିମ୍ବା ଅଘଟଣ ସମ୍ଭାବନା ହ୍ରାସ ହୁଏ, କ୍ଷୟ କ୍ଷତିକୁ ହ୍ରାସ କରାଯାଇପାରେ ଏବଂ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ସୁରକ୍ଷା ସଂସ୍କୃତିକୁ ପ୍ରୋସôାହିତ କରାଯାଇଥାଏ ବୋଲି ରାଜ୍ୟପାଳ କହିଥିଲେ । ଉପସ୍ଥାପନା ସମୟରେ ରୋବଟିକ ମନିଟର, ଉନ୍ନତ ଉଦ୍ଧାର ଟେଣ୍ଡର, କମାଣ୍ଡ ଭେଇକିଲ, ହାଇଡ୍ରୋଲିକ ପ୍ଲାଟ ଫର୍ମ ଏବଂ ଅନ୍ୟାନ୍ୟ ଉନ୍ନତ ଉପକରଣ ଓ ଯନ୍ତ୍ରପାତି ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା । ଅତିରିକ୍ତ ଯନ୍ତ୍ରପାତି କ୍ରୟ ସଂପର୍କିତ ସ୍ଥିତି ଓ ଭବିଷ୍ୟତରେ ବ୍ୟବସ୍ଥାର ଉନ୍ନତି ପାଇଁ ଯୋଜନା ବିଷୟରେ ରାଜ୍ୟପାଳ ପଚାରି ବୁଝିଥିଲେ । ପୁରୀ ଜିଲ୍ଲା ରାମଚଣ୍ଡୀରେ ଥିବା ଦେଶର ପ୍ରଥମ ନ୍ୟାସନାଲ ୱାଟର ରେସ୍କୁ୍ୟ ଆଣ୍ଡ ୱାଟରମ୍ୟାନସିପ୍ କେନ୍ଦ୍ର, କେ-୯ ସ୍କ୍ୱାଡ଼ ନିୟୋଜନ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା ।

ବିଭାଗର ଦକ୍ଷତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ ଏବଂ ସଂପୂର୍ଣ୍ଣ ଅନ୍ଲାଇନ୍ ଫାୟାର ଲାଇସେନ୍ସିଂ ପ୍ରକ୍ରିୟା, ତୃତୀୟ ପକ୍ଷ ଏଜେନ୍ସି ନିୟୋଜନ ଭଳି ପଦକ୍ଷେପ ତଥା ଓଡ଼ିଶାର ସାମଗ୍ରିକ ବିପର୍ଯ୍ୟୟ ପ୍ରସ୍ତୁତି ଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ ଏବଂ ଏ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ପାଲଟିଛି ବୋଲି କହିଥିଲେ । ଏହାପରେ ରାଜ୍ୟପାଳ କମାଣ୍ଡ ଭେଇକିଲ୍ ଦେଖିଥିଲେ ଏବଂ ଏହାର ଉନ୍ନତ ବୈଶିଷ୍ଟ୍ୟଗୁଡ଼ିକ ପର୍ଯ୍ୟବେକ୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡି.ଜି. ଅଗ୍ନିଶମ ଓ ଆପତକାଳୀନ ସେବା, କମାଣ୍ଡାଂଟ୍ ଜେନେରାଲ ହୋମଗାର୍ଡସ ଏବଂ ନିଦେ୍ର୍ଦଶକ ସିଭିଲ ଡିଫେନ୍ସ ଡ. ସୁଧାଶୁଂ ଷଡଙ୍ଗୀ, ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ, ଡି.ଆଇ.ଜି. ଫାୟାର ଆଣ୍ଡ ଇମରଜେନ୍ସି ସର୍ଭିସ୍ ଆଣ୍ଡ ହୋମଗର୍ଡସ୍ ଡ. ଉମାଶଙ୍କର ଦାଶ ଏବଂ ବିଭାଗୀୟ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

error: Content is protected !!