ବନଜାତ ଦ୍ରବ୍ୟର ବିକ୍ରି ପାଇଁ ବ୍ୟବସ୍ଥା ନାହିଁ ।
ବେପାରୀ ନିର୍ଧାରଣ କରୁଛନ୍ତି ମୂଲ୍ୟ ।
ପଦ୍ମପୁର-ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଏକ ଅବହେଳିତ ଆଦିବାସୀ ଅଞ୍ଚଳ ଅଟେ । କୃଷି ପାଇଁ ସ୍ଥାୟୀ ଜଳସେଚନ କିମ୍ବା କୌଣସି କଳକାରଖାନା ନ ଥିବା ଏହି ଅଞ୍ଚଳର ଲୋକେ ଖଟିଖିଆ ଓ ଶ୍ରମିକ ।କୃଷି ଓ ଜଙ୍ଗଲ ଜାତ ସାମଗ୍ରୀ ଏମାନଙ୍କ ଆର୍ଥିକ ସ୍ଥିତି କୁ ନିର୍ଧାରଣ କରେ ।ଚାଷ କୁ ବାଦ ଦେଲେ ଏମାନେ ବର୍ଷକରେ ୬ମାସ ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ମହୁଲ ଠାରୁ ଆରମ୍ଭ କରି ଚାରମଞ୍ଜି,ଟୋଲ,ଶାଲପତ୍ର,ଶାଲମଞ୍ଜି,ଆମ୍ବୁଲ, ତେନ୍ତୁଲି ଆଦି ଏମାନଙ୍କ ଆୟର ପ୍ରମୁଖ ଉତ୍ସ । ହେଲେ ବହୁ କଷ୍ଟରେ ଏ ସବୁ ସଂଗ୍ରହ କରୁଥିଲେ ମଧ୍ୟ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଲୁନାହିଁ ।

ଯେଉଁଥି ପାଇଁ ସେମାନଙ୍କ ଆର୍ଥିକ ସ୍ଥିତି ରେ।ପରିବର୍ତ୍ତନ ଆସୁନାହିଁ ।ଏହାର ମୁଖ୍ୟ କାରଣ ହେଉଛି ସରକାର ଙ୍କ ପକ୍ଷରୁ ଲଘୁବନଜାତ ଦ୍ରବ୍ୟ ର କିଣା ବିକାପାଇଁ କୌଣସି ସ୍ୱତନ୍ତ୍ର ବଜାର ସୁବିଧା କରାଯାଇନାହିଁ ।ଏହି ଜଙ୍ଗଲ ଜାତ ସାମଗ୍ରୀ ର ବଜାର ଚାହିଦା ଥିଲେ ବି ବିକ୍ରି ପାଇଁ ବ୍ୟବସ୍ଥା କିମ୍ବା ସରକାରଙ୍କ ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ହେଉନଥିବାରୁ ବେପାରୀ ମାନେ ହିଁ ନିଜର ମନମୁତାବକ ଦର ନିର୍ଦ୍ଧାରଣ କରିଥାନ୍ତି ।ସେଥିପାଇଁ ଏହି ନିରୀହ ଆଦିବାସୀ ୫୦ଟଙ୍କା ର ସାମଗ୍ରୀ କୁ ୨୦/୨୫ଟଙ୍କା ରେ ବିକ୍ରି ପାଇଁ ବାଧ୍ୟ ହୋଇଥାନ୍ତି ।

ଏପଟେ ସେହି ସାମଗ୍ରୀ କୁ ବେପାରୀ ରପ୍ତାନୀ କରି ଖୁବ୍ ଚଢା ଦର ରେ ବିକ୍ରି କରି ମୁନାଫା କରିଥାନ୍ତି ।୨୦୦୮ମସିହାରେ ସରକାର ବନଜାତ ଦ୍ରବ୍ୟ ଉଚିତ ମୂଲ୍ୟ ରେ କିଣିବା ପାଇଁ ପଞ୍ଛାୟତ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ହେଲେ ସେହି ନିର୍ଦ୍ଦେଶ ଫାଇଲ ଭିତରେ ସୀମିତ ରହିଲା ଓ ସରକାର ମଧ୍ୟ ଏହି ଦିଗକୁ ସଂପୂର୍ଣ୍ଣ ଅଣଦେଖା କରି ଦେଲେ ।ତେବେ ଧାନ ଓ ମାଣ୍ଡିଆ ଭଲି ଯଦି ସରକାର ଏହି ବନଜାତ ଦ୍ରବ୍ୟ ର ମଣ୍ଡି ବ୍ୟବସ୍ଥା କରନ୍ତେ ତେବେ ଆଦିବାସୀ ତଥା ଗାଁରେ ବସବାସ କରୁଥିବା ଲୋକଙ୍କ ଜୀବନଧାରା ବଦଳି ଯାଆନ୍ତା ।


