ସମ୍ବଲପୁର ତା.୯/୫ – ସମ୍ବଲପୁର ମହାନଗର ନିଗମ ଘୋଷଣା କୁ ଦୀର୍ଘ ୧୧ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ଆଜି ଯାଏଁ ହୋଇ ନାହିଁ ନିର୍ବାଚନ । ଜନପ୍ରତିନିଧି ନ ଥିବାରୁ ଲୋକେ ହେଉଛନ୍ତି ହଇରାଣ ଓ ମିଳୁନାହିଁ ମୌଳିକ ପୌର ସୁବିଧା । ନିର୍ବାଚନ ନ କରେଇ ଅଫିସରରାଜ ମାଧ୍ୟମ ରେ ହରିଲୁଟ ହେଉଛି ଶହ ଶହ କୋଟି ଟଙ୍କା ର ରାଜକୋଷ ପାଣ୍ଠି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଏଭଳି ଅଭିଯୋଗ ଆଣିଛି ବିଜେପି ।
ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଛି ବିଜେପି । ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି କହିଛନ୍ତି ସମ୍ବଲପୁର ମହାନଗର ନିଗମ ଗଣତନ୍ତ୍ର ଓ ଜନସେବା ରୁ ବହୁ ଦୂର ରେ । ମହାନଗର ନିଗମ ନିର୍ବାଚନ ହୋଇନଥିବାରୁ ମେୟର କର୍ପୋରେଟର ନାହାଁନ୍ତି । ୱାର୍ଡବାସୀ ନିଜର ପୌର ସମସ୍ୟା ନେଇ ମହାନଗର ନିଗମ କାର୍ଯ୍ୟାଳୟ କୁ ଧାଉଁଛନ୍ତି । ମିଳୁ ନାହାଁନ୍ତି ପୌର ଅଧିକାରୀ, କାର୍ଯ୍ୟାଳୟ ରେ ବାର ବାର ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ମହାନଗର ନିଗମ ଘୋଷଣା ହେଲାପରେ ସମସ୍ତ ପ୍ରକାର ର ଖଜଣା ଓ କର ଲାଗୁ ହୋଇଗଲା କିନ୍ତୁ ପୌର ସେବା ର ଅବସ୍ଥା ଓ ବ୍ୟବସ୍ଥା ଯଥା ପୂର୍ବମ ତଥା ପରଂ ହୋଇ ରହିଛି । ସଫେଇ ନାଁ ରେ କୋଟି କୋଟି ଖର୍ଚ୍ଚ ହେଉଛି କିନ୍ତୁ ସହର ର ଯେଉଁ ଆଡ଼େ ଦେଖିଲେ କୁଢ଼ କୁଢ଼ ମଇଳା ଆବର୍ଜନା ରେ ଭର୍ତ୍ତି । ସହର ମୁଖ୍ୟ ରାସ୍ତା କୁ ଛାଡି ଦେଲେ ବାକି ଅଞ୍ଚଳ ରେ ଷ୍ଟ୍ରିଟ ଲାଇଟ ଜଳୁନାହିଁ । ଷ୍ଟେଣ୍ଡ ପୋଷ୍ଟ ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଖାଲି ଭଙ୍ଗା ଷ୍ଟେଣ୍ଡ ପୋଷ୍ଟ ରେ ସୀମିତ ରହିଛି । କେଉଁଠି ଷ୍ଟେଣ୍ଡ ଅଛି ତ ଟେପ ନାହିଁ, ଆଉ କେଉଁଠି ଟେପ ଅଛି ତ ପାଣି ନାହିଁ ।
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ ହୋଇଥିବା ପାର୍କ ଏବେ ଅସାମାଜିକ ବ୍ୟକ୍ତି ଓ ନିଶା ସେବନକାରୀ ଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଜଗୁଆଳୀ ଓ ରକ୍ଷଣବେକ୍ଷଣ ଅଭାବ ରୁ ପାର୍କ ର ସାମଗ୍ରୀ ଚୋରି ହୋଇ ଯାଉଛି । ୨୦୧୬ ରେ ମହାନଗର ନିଗମ ବିସ୍ତୃତ ସ୍ବିରେଜ ବ୍ୟବସ୍ଥା ଆଣିବାର ଯୋଜନା କଲା । ଜାନୁଆରି ୨୦୧୭ରେ ଠିକା ସଂସ୍ଥା କୁ କାର୍ଯ୍ୟାଦେଶ ମିଳିଲା । କାର୍ଯ୍ୟାଦେଶାନୁସାରେ ଜାନୁୟାରୀ ୨୦୨୦ ସୁଦ୍ଧା ୨୯୫ କୋଟି ଟଙ୍କା ଖର୍ଚ୍ଚ କରି ୨୫୨.୭୩କି.ମି ର ସ୍ବିରେଜ ଯୋଜନା ସମାପ୍ତ ହେବା କଥା । କିନ୍ତୁ, ମାର୍ଚ୍ଚ ୨୦୨୪ ସୁଦ୍ଧା ମାତ୍ର ୧୨୩ କୋଟି ଖର୍ଚ୍ଚ ହୋଇ ୯୧.୩୫କି.ମି କାମ ସରିଛି । ମହାନଗର ନିଗମ ଅଞ୍ଚଳ ରେ ଚାଲିଥିବା ସ୍ବିରେଜ କମ ର ଗୁଣାତ୍ମକମାନ କୁ ନେଇ ବିଜେପି ଅନେକ ଥର ଅଭିଯୋଗ କରିଛି । ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ଓ ପ୍ରସାରିତ ହୋଇଛି, ହେଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ । ଲୋକେ କହୁଛନ୍ତି ଚୀନ ର ଦୁଃଖ ହୋ୍ୟାଙ୍ଗ ହୋ ପରି ସମ୍ବଲପୁର ର ଦୁଃଖ ସ୍ବିରେଜ ଯୋଜନା ହେବାକୁ ଯାଉଛି । ୨୦୧୫ ରେ ସ୍ୱଚ୍ଛ ଭାରତ ଅଭିଯାନ କ୍ରମ ରେ କେନ୍ଦ୍ର ସରକାର ବିସ୍ତୃତ ପରିମଳ ବ୍ୟବସ୍ଥା ପାଇଁ ଯୋଜନା ମାଗିଥିଲେ । ସେପ୍ଟେମ୍ବର ୨୦୧୫ ରେ ରାଜ୍ୟ ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ନିକାୟ କୁ ଘର ଘର ବୁଲି ସର୍ଭେ କରି ଯୋଜନା ପ୍ରସ୍ତୁତ କରିବାକୁ ଆଦେଶ କରିଥିଲେ ।
ପୁଣି ୨୦୧୬ ଡିସେମ୍ବର ରେ ସଂଶୋଧିତ ଯୋଜନା ପ୍ରସ୍ତୁତ କରି ଦାଖଲ କରିବାକୁ କହିଥିଲେ । ହେଲେ ସି.ଏ.ଜି ରିପୋର୍ଟ ଅନୁସାରେ ବର୍ତ୍ତମାନ ଯାଏଁ ରାଜ୍ୟ ଗୃହ ଓ ଉନ୍ନୟନ ବିଭାଗ ଅନୁମୋଦନ ଦେଇ ନାହାଁନ୍ତି । ବହୁତ ବିରୋଧ ସତ୍ୱେ ମଧ୍ୟ ସମ୍ବଲପୁର ସହର ଉପକଣ୍ଠ ରେ ଥିବା ୧୨ ଗୋଟି ପଞ୍ଚାୟତ କୁ ମହାନଗର ନିଗମ ରେ ସାମିଲ କରିଦିଆଗଲା । ବର୍ତ୍ତମାନ ସେମାନଙ୍କ ଦୁଃଖ କହିଲେ ନସରେ । ଏବେ ସେମାନଙ୍କ ପାଖରେ ପୌର ସୁବିଧା ଓ ଅଧିକାର ପହଞ୍ଚୁ ନାହିଁ ଏବଂ ଗ୍ରାମାଞ୍ଚଳ ର ସମସ୍ତ ସୁବିଧା ଓ ଅଧିକାର ରୁ ତ ବଞ୍ଚିତ ରହିଗଲେ । ଘରୁ ଘରୁ ହୋଲଡିଂ ଟେକ୍ସ ଓ ଯୁଜର୍ସ ଫିଜ ନିଆହେଉଛି, ବ୍ୟବସାୟିକ ପ୍ରତିଷ୍ଠାନ ରୁ ଟ୍ରେଡ଼ ଲାଇସେନ୍ସ ଫିଜ ନିଆହେଉଛି । ନିକଟ ଅତୀତରେ ଟ୍ରେଡ଼ ଲାଇସେନ୍ସ ଫିଜ ର ଅହେତୁକ ବୃଦ୍ଧି କୁ ବହୁତ ବିରୋଧ କଲା ପରେ ମଧ୍ୟ ପୌର ପ୍ରଶାସନ ନିଜ ଜିଦ ରେ ଅଡ଼ି ରହି ଜୋର ଜବରଦସ୍ତ ଖଜଣା ଅସୁଲ କରୁଛନ୍ତି । କର୍ମଚାରୀ ଓ ଯୋଜନା ଅଭାବ ରୁ ଉଭୟ କେନ୍ଦ୍ର ଓ ରାଜ୍ୟ ରୁ ଆସୁଥୁବା ଅନୁଦାନ କୁ ସଠିକ ଭାବେ ଖର୍ଚ୍ଚ କରାଯାଇ ପାରୁ ନାହିଁ । ଯେତିକି ଖର୍ଚ୍ଚ ହେଉଛି ସେତିକି ବି ଠିକାଦାର, ଯନ୍ତ୍ରୀ ଓ ପୌର ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ଫଳ ରେ ବାଟମାରଣା ହୋଇ ଯାଉଛି । ଏଭଳି ଅନେକ ସମସ୍ୟା ଘେରରେ ଛନ୍ଦି ହୋଇଥିବା ସମ୍ବଲପୁର ମହାନଗର ନିଗମ ଦୁର୍ନୀତି ଓ ଭ୍ରଷ୍ଟାଚାର ର ଗନ୍ତାଘର ପାଲଟିଛି । ଶ୍ରୀ ବକ୍ସି ରାଜ୍ୟ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ଯେ… ଏକ ଗଣତାନ୍ତ୍ରିକ ସଂସ୍ଥାକୁ ଦୀର୍ଘ ବର୍ଷ ଧରି ନିର୍ବାଚନ ନ କରେଇ ଅମଳାତାନ୍ତ୍ରିକ ବ୍ୟବସ୍ଥା ରେ ଚଲେଇବା ଗଣତନ୍ତ୍ର ର ହତ୍ୟା ନୁହେଁ କି..? କାହା ସ୍ୱାର୍ଥ ରକ୍ଷା ପାଇଁ ସମ୍ବଲପୁର ମହାନଗର ନିଗମ ରେ ନିର୍ବାଚନ କରାଯାଉ ନାହିଁ…? କର ଓ ଖଜଣା ଆଦାୟ କୁ ଯେତିକି ଗୁରୁତ୍ୱ ଦିଆ ଯାଉଛି, ଜନତା ଙ୍କୁ ପୌର ସୁବିଧା ପହଞ୍ଚେଇବାରେ କାହିଁକି ତତ୍ପରତା ଦେଖାଉ ନାହାଁନ୍ତି…? ସଫେଇ ନାଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କାହିଁକି ସହର ସାରା ଅଳିଆ ଆବର୍ଜନା ର ପାହାଡ଼ ଦେଖିବାକୁ ମିଳୁଛି…? ଆଜିର ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ, ସକ୍ରିୟ କାର୍ଯ୍ୟକର୍ତ୍ତା ମୁକେଶ ଜରିୱାଲ ଓ ରଞ୍ଜିତ ରଥ ଉପସ୍ଥିତ ଥିଲେ ।