ପଦ୍ମପୁର-ସଂପ୍ରତି ମଧ୍ୟପ୍ରାଚ୍ୟରେ ବୋମା ଓ ବାରୁଦର ଧୂଆଁ । ଦିନକୁ ଦିନ ସବୁଜ ପୃଥିବୀ ପ୍ରତି ବିପଦର କଳା ବାଦଲ ମାଡ଼ି ଆସୁଛି । ସତେ ଯେମିତି ମଣିଷ ପରିବେଶ ପ୍ରତି ଆଖି ବୁଜି ଦେଇଛି। ଏପରି ସମୟରେ ‘ସିଡ୍ ବମ୍’ ବା ‘ମଞ୍ଜି ଗୁଳା’ ଫିଙ୍ଗି ପୃଥିବୀ ପୃଷ୍ଠରେ ସବୁଜ ବୃକ୍ଷ ସଂଖ୍ୟାରେ ବିସ୍ଫୋରଣ ସୃଷ୍ଟି କରିପାରିଛନ୍ତି ବରଗଡ଼ ଜିଲ୍ଲାର ଯୁବ ପରିବେଶ ରକ୍ଷକ ଆଶିଷ ଜ୍ୟୋତିଷ। ଅଜା ଅଭେଲ ଜ୍ୟୋତିଷ ଜଣେ ଅବସରପ୍ରାପ୍ତ ଶିକ୍ଷକ । ଚାକିରିରୁ ଅବସର ନେଲା ପରେ ସେ ଯୁବାଖୋଲ ପାହାଡ଼ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳରେ ସେ ଜଙ୍ଗଲ ସୁରକ୍ଷା ପ୍ରତି ଅନେକ ଦାୟିତ୍ଵ ନିର୍ବାହ କରିଛନ୍ତି। ଜଙ୍ଗଲ କମିଟିର ଜଣେ ମୁଖ୍ୟ ସଭାପତି ହୋଇ ଗାଁ ଯେଉଁ ପାଣ୍ଠି ପଏସା ଥାଏ ଜଙ୍ଗଲ ନିଆଁ ଲିଭା ଠାରୁ ଆରମ୍ଭ କରି ଜଙ୍ଗଲ ସୁରକ୍ଷା ପାଇଁ କାମରେ ଲଗାନ୍ତି । ଚାରା ରୋପଣ ଗାଁ ର ଅନେକ ଲୋକ ଦଶ ରୁ ଏଗାର ଜଣ ଭାଗ ହୋଇ ଜଗୁଆଳି ହିସାବରେ ଦାଇତ୍ୱ ନିର୍ବାହ କରିଥାନ୍ତି । ଯେଭଲି ଗଛ ଚୋରି ନ ହେବ ସେଥିପ୍ରତି ସଜାଗ ରହିଥାନ୍ତି । ଏହି ୧୬ ଶହ ଏକଡ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ନିମ୍ଵ , ବାଉଁଶ, ମହୁଲ,ଚାର,ବିଜା, ପିପଲ, ଅନେକ ପ୍ରକାରର ଅନେକ ଗଛ ରହିଅଛି ।
ଏହି ଜଙ୍ଗଲରେ ହରିଣ,ଵାଘ, ଭାଲୁ,ଚିତା ଭଲି ଅନେକ ପ୍ରଜାତିର ଜୀବଜନ୍ତୁ ଦେଖବାକୁ ମିଳିଥାନ୍ତି । ଆଶିଷ ପିଲାଦିନୁ ଜଙ୍ଗଲର ସବୁଜ ପରିବେଶରେ ଦିନ ଅତିବାହିତ କରିଛନ୍ତି । ଅଜା ଅଭେଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କୁନି ଆଶିଷ ଛୋଟ ଛୋଟ ଚାରା ଲଗାଇ ତାକୁ ମହାଦ୍ରୁମରେ ପରିଣତ କରିବାର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ । ଉଚ୍ଚ ଶିକ୍ଷିତ ସବୁଜ ବନାନୀର ମୋହରେ ପଡ଼ିଯାଇଛନ୍ତି ଆଶିଷ, ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରିବା ସମୟ ସାପେକ୍ଷ । ତେଣୁ ସେ ଜାପାନ୍ର କୃଷକ ଏବଂ ଦାର୍ଶନିକ ମାସାନୋବୁ ଫୁକୋକାଙ୍କ ଗରିଲା ଶୈଳୀକୁ ଅନୁସରଣ କରିଛନ୍ତି । ଚାରା ରୋପଣ କରିବା ପରିବର୍ତ୍ତେ ମାଟିର ଏକ ବଲ୍ (ପେଣ୍ଡୁ) ରେ ମଞ୍ଜି ରଖି, ତାହାକୁ ଜଙ୍ଗଲ ସୃଷ୍ଟି କରିବାକୁ ଚାହୁଁଥିବା ସ୍ଥାନରେ ଫିଙ୍ଗିବା ହେଉଛି ଏହି ଜାପାନୀ ଉପାୟ ଏହି ଉପାୟରେ ପ୍ରଥମେ ପରିବା ଚୋପା, ପଚି ଯାଉଥିବା ଫଳ ଆଦିକୁ ଗାତ ଖୋଳି ପୋତି ଦିଆଯାଏ । କିଛିଦିନ ପରେ ଏହା ଉତ୍କୃଷ୍ଟ ଖତରେ ପରିଣତ ହୋଇଯାଇଥାଏ ।
ଏହି ଖତ ଓ ମାଟିକୁ ମିଶାଇ ଏକ ପେଣ୍ଡୁ ପ୍ରସ୍ତୁତ କରାଯାଏ । ଏହା ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ଭଲ ମଞ୍ଜିକୁ ରଖି ଗୁଳା ପ୍ରସ୍ତୁତ କରାଯାଏ । ଏହି ଗୁଳାକୁ ଗୋଟିଏ ଦିନ ପାଇଁ ରଖି ଦିଆଯାଏ। ଗୁଳା ଟାଣ ହୋଇଯିବା ପରେ ବୁଦୁବୁଦୁକିଆ ଜଙ୍ଗଲ, ରାସ୍ତା ପାର୍ଶ୍ଵ, ସ୍କୁଲ୍ ପଡ଼ିଆ କିମ୍ବା ନଦୀକୂଳ ଆଦି ସ୍ଥାନରେ ଫିଙ୍ଗିଦିଆଯାଏ । ତେବେ ଏହା ପୂର୍ବରୁ ଉତ୍କୃଷ୍ଟ ମଞ୍ଜି ସଂଗ୍ରହ କରାଯାଏ । ଖରାଦିନେ ଏହି ମଞ୍ଜି ସଂଗ୍ରହ କାମ ହୋଇଥାଏ । ଏହି ପେଣ୍ଡୁ ପ୍ରସ୍ତୁତ କରିବା ଲାଗି ସାଧାରଣତଃ କେନ୍ଦୁ, ଜାମୁ, ସପେଟା, ଅର୍ଜୁନ ଆଦି ମଞ୍ଜି ସଂଗ୍ରହ କରାଯାଏ । ଖରାଦିନରେ ଏହାକୁ ପ୍ରସ୍ତୁତ କରିବା ପରେ ମୌସୁମୀ ଆଗମନ ଓ ବର୍ଷା ଆରମ୍ଭ ହେଲେ ଏହାକୁ ଚିହ୍ନଟ ସ୍ଥାନରେ ଫିଙ୍ଗାଯାଇଥାଏ । ଆଶିଷଙ୍କ କହିବା ଅନୁଯାୟୀ ଏହି ପ୍ରକ୍ରିୟାରେ ସେ ଅନେକ ‘ମଞ୍ଜି ଗୁଳା’ ଫିଙ୍ଗିଛନ୍ତି । ଓଡ଼ିଶାର ସମସ୍ତ ଜିଲ୍ଲାରେ ଏହି ଗୁଳା ପ୍ରକ୍ରିୟାରେ ସବୁଜ ବିପ୍ଳବ ଆରମ୍ଭ କରିରିବାକୁ ଆହ୍ବାନ ଦେଇଛନ୍ତି ଆଶିଷ । ଦୀପାବଳିରେ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ନ ଫୁଟାଇ ‘ସିଡ୍ ବମ୍’ ଫିଙ୍ଗିବାକୁ ଆଶିଷ ଛୋଟ ପିଲାମାନଙ୍କୁ ବୁଝାନ୍ତି। ପ୍ରତି ପର୍ବପର୍ବାଣିରେ ଏପରି ଗଛ ଲଗାଇ ଉତ୍ସବକୁ ପ୍ରତିଭରା କରିବାକୁ ସେ ସମସ୍ତଙ୍କୁ ପ୍ରୋତ୍ସାହିତ କରନ୍ତି।
ଆଶିଷଙ୍କ କହିବା କଥା ବର୍ତ୍ତମାନର ଯୁବପିଢ଼ି ଡିଜିଟାଲ୍ ମନସ୍କ। ଏହା ଶୁଭ ଲକ୍ଷଣ । ମାତ୍ର ସବୁବେଳେ ଏଥିରେ ସମୟ ନଷ୍ଟ ନକରି, କଂକ୍ରିଟ୍ ଜଙ୍ଗଲରେ ନ ବୁଲି କିଛି ସମୟ ବାହାର କରି ସବୁଜ ବନାନୀ ଓ ପ୍ରାକୃତିକ ପରିବେଶରେ କାଟିବା ଦରକାର । ଏପରି ହେଲେ ଜଣେ ପ୍ରକୃତିକୁ ଭଲ ପାଇବ ଏବଂ ଏହାର ସୁରକ୍ଷା କରିବାକୁ ଯତ୍ନବାନ ହେବା ଯୁବକ ଜଣକ ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ସ୍ଥାୟୀ ବାସିନ୍ଦା ଆଶିଷ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧିନରେ ଆଇନ ପାଠ ପଢୁଛନ୍ତି । ସଂପ୍ରତି ପରିବେଶ ସୁରକ୍ଷା, ସଚେତନା ଓ ସବୁଜ ବନାନୀ ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟର ବିଭିନ୍ନ ସ୍ଥାନ ଘୂରି ବୁଲୁଛନ୍ତି।