ବରଗଡ-ବରଗଡ ଟାଉନ ଥାନାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଏସପି ପି.ଏସ୍ ମୀନା ସୂଚନା ଦେଇଛନ୍ତି,ବରଗଡ଼ରେ ଦେଶୀ ବନ୍ଧୁକ କାରବାର ଚାଲିଥିବା ନେଇ ଖବର ମିଳିଥିଲା। ଫଳରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍ ସେଥିପ୍ରତି ନଜର ରଖିଥିଲେ। ରବିବାର ରାତିରେ ଉପରୋକ୍ତ ଅଭିଯୁକ୍ତମାନେ ବରଗଡ଼ ସହର ଉପକଣ୍ଠ ଜୀରାନଦୀ ପାର୍ଶ୍ୱ ଶ୍ମଶାନ ନିକଟରେ ଦେଶୀ ବନ୍ଧୁକ ସହିତ ରହିଥିବା ନେଇ ଟାଉନ ଥାନା ପୋଲିସକୁ ସୂଚନା ମିଳିଥିଲା।
ସେହି ସୂଚନାକୁ ଆଧାର କରି ପୋଲିସ ଟିମ୍ ସେଠାକୁ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଦେଶୀ ବନ୍ଧୁକ, ଗୁଳି ଏବଂ ଅନ୍ୟ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଥିଲେ। ପୋଲିସ ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବିହାରର ସମସ୍ତିପୁର ଜିଲା ଦରିଆପୁର ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ଜିଲ୍ଲା ସୋହେଲା ଢିପାପଡ଼ାରେ ରହୁଥିବା ରାଜେଶ ଚୌଧୁରୀ(୩୦),
ବରପାଲି ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୩ର ରାଜଦୀପ ଚୌଧୁରୀ(୨୯), ସୋହେଲା ଥାନା ଧୂସରବାହାଲ ଗ୍ରାମର ବେଦବ୍ୟାସ ପ୍ରଧାନ, ବରଗଡ଼ ଟାଉନ ଥାନା ଖେଦାପାଲିର ସୁଧାଂଶୁ ମୁଗ୍ରୀ(୨୯) ଏବଂ ବରଗଡ଼ ଜିଲ୍ଲା ଭେଡ଼େନ ଥାନା ସଂକ୍ରୀଡ଼ା ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ସମ୍ବଲପୁର ଜିଲ୍ଳା ଠେଲକୋଲିରେ ର ପ୍ରମୋଦ ତାଣ୍ଡିଆ(୨୯)।
ସେମାନଙ୍କ ପାଖରୁ ୫ ଦେଶୀ ବନ୍ଧୁକ(୭.୬୨ଏମଏମ), ୩୪ ଗୁଳି, ୭ ମୋବାଇଲ, ୧୦ ମାଗାଜିନ, ୩ ବାଇକ୍, ନଗଦ ୨୦୦୦ ଟଙ୍କା, ୩ ଛୁରୀ, ୨ ଲୁହାରଡ଼, ୫ ମାସ୍କ, ୪ ପ୍ୟାକେଟ ଲଙ୍କାଗୁଣ୍ଡ, ଗୋଟିଏ ଟର୍ଚ୍ଚ ଏବଂ ବାଉଁଶ ଲାଠି ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନାରେ ଦଫା ୩୧୦(୪), ୩୧୦(୫) ବିଏନଏସ୍ ଏବଂ ୨୫/୨୭ ଆର୍ମସ୍ ଆକ୍ଟରେ ଏକ ମାମଲା (ନଂ-୬୬୦/୨୪) ରୁଜୁ ହୋଇଛି।