
ପାଇକମାଳ-ପଦ୍ମପୁର ପାଇକମାଳ ବ୍ଲକ ଡୁମେରବାହାଲ ଗ୍ରାମର ଭୂତପୂର୍ବ ସେନା ଜ୍ୟୋତିର୍ମୟ ପଧାନ ଦୀର୍ଘ ୧୮ ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ରହି ଦେଶ ସେବା କରି ଅବସର ଗ୍ରହଣ କରିଛନ୍ତି। ତାଙ୍କ ଅବସର ଅବସରରେ ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଗ୍ରାମବାସୀ, ବୃଦ୍ଧିଜୀବୀ ଯୁବକମାନେ ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଦେଶଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା।ସଭା ପୂର୍ବରୁ ଜ୍ୟୋତିର୍ମୟ ପଧାନଙ୍କୁ ଡିଜେ ବାଜା ଓ ଘଣ୍ଟାବାଦ୍ୟର ତାଳେ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମର ମହିଳାମାନେ ଆରତି କରି ସ୍ବାଗତ ଜଣାଇଥିବାବେଳେ ଯୁବମାନେ ଜୟଧ୍ୱନି ଦେଇ ପରିବେଶକୁ ଉତ୍ସାହମୟ କରିଥିଲେ। ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ତାଙ୍କୁ ଫୁଲଚନ୍ଦନ, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଭେଟେରାନ ନବୀନ ପଧାନ (ସେନା ମେଡାଲ–ଗ୍ୟାଲାଣ୍ଟ୍ରି) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜ୍ୟୋତିର୍ମୟ ପଧାନଙ୍କ ଦୀର୍ଘ ସେବାଜୀବନକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ଗ୍ରାମରୁ ଏମିତି ସୌନିକ ବାହାରିବା ଗର୍ବର ବିଷୟ। ଦେଶର ସୀମାରେ ଦଣ୍ଡାୟମାନ ହୋଇ ଯେମାନେ ଆମକୁ ସୁରକ୍ଷା ଦେଇଥାନ୍ତି, ସେମାନଙ୍କୁ ସମାଜ ଏଭଳି ସମ୍ମାନ ଦେବା ଆବଶ୍ୟକ। ସେ ଯୁବପିଢ଼ୀଙ୍କୁ ଦେଶସେବା ପାଇଁ ସେନାରେ ଯୋଗଦାନ କରିବାକୁ ଆହ୍ୱାନ କରିଥିଲେ lଜ୍ୟୋତିର୍ମୟ ପଧାନ କହିଥିଲେ ଯେ, “ସେନା ଜୀବନ ମୋତେ ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ଦେଶପ୍ରେମର ମୂଲ୍ୟ ବୁଝାଇଛି। ୧୮ ବର୍ଷ ଧରି ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ସମୟରେ ଅନେକ ସମସ୍ୟା ଓ ଚ୍ୟାଲେଞ୍ଜ ସମ୍ମୁଖୀନ ହୋଇଛି, କିନ୍ତୁ ଦେଶ ପାଇଁ କାମ କରିବାର ସନ୍ତୋଷ ସବୁଠାରୁ ବଡ଼।

ଆଜି ଗ୍ରାମବାସୀମାନଙ୍କ ଭଲପାଇବା ଓ ସମ୍ମାନ ମୋ ପାଇଁ ଅମୂଲ୍ୟ। ଯୁବମାନେ ନିଶ୍ଚୟ ଭାବେ ସେନାରେ ଯୋଗଦେଇ ଦେଶ ସେବାର ସୁଯୋଗ ନିଅନ୍ତୁ।”ସଭାରେ ସୁବଳ ଗଡ଼ତିଆ, ପ୍ରଦୀପ ବେହେରା, ମହାଦେବ ଭୋଇ, ଅଗ୍ନେସ ବାରିକ, ଅଶୋକ ବିଶ୍ୱାଳ, ଲଳିତ ପଧାନ, ଜୟକୁମାର ସାହୁ, ଏସ.ଡି. ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା, ଲକ୍ଷ୍ମୀକାନ୍ତ ପଧାନ, ସୁରେନ୍ଦ୍ର ସାହୁ, ବୁଦ୍ଧଦେବ ପଧାନ, ବୃନ୍ଦାବନ ବିଶ୍ୱାଳ, ଚନ୍ଦ୍ରକିଶୋର ସାହୁ ଓ ହରାକିଶୋର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଯୋଗଦେଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।ଶେଷରେ ସଭା ଦେଶଭକ୍ତିମୟ ଗୀତ ଓ ଧନ୍ୟବାଦ ଜ୍ଞାପନ ସହ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା। ଗ୍ରାମବାସୀମାନେ କହିଥିଲେ ଯେ, ଜ୍ୟୋତିର୍ମୟ ପଧାନଙ୍କ ଅବଦାନ ଗାଁ ପାଇଁ ପ୍ରେରଣାର ସ୍ରୋତ ହେଇରହିବ l



