Saturday, March 7, 2026
Homeରାଜ୍ୟସ୍କଲ ପୋଷାକ ବିତରଣକୁ ନେଇ ଟେନ୍ଡର ଫିକସିଙ୍ଗ ଅଭିଯୋଗ ।

ସ୍କଲ ପୋଷାକ ବିତରଣକୁ ନେଇ ଟେନ୍ଡର ଫିକସିଙ୍ଗ ଅଭିଯୋଗ ।

ବିଦ୍ୟାଳୟ କମିଟି ଓ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପୋଷାକ ଯୋଗାଣ ବ୍ୟବସ୍ଥା ନ କଲେ ଆନ୍ଦୋଳନ ଚେତାବନୀ ।

କଣ୍ଟାବାଞ୍ଜି – ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା,ମୁରିବାହାଲ,ତୁରେକେଲା ବ୍ଲକର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଚଳିତ ବର୍ଷ ଗଣପୋଷାକ ପ୍ରଦାନ କରାଯାଇନାହିଁ ।ପୂର୍ବରୁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟରେ ପୋଷାକ ପାଉଥିବା ବେଳେ ଚଳିତ ବର୍ଷ ପୋଷାକ ପ୍ରଦାନରେ ବିଳମ୍ବ ଯୋଗୁଁ ଛାତ୍ରଛାତ୍ରୀ ମାନେ ଚିରାଫଟା ପୋଷାକ ପିନ୍ଧି ବିଦ୍ୟାଳୟକୁ ଆସୁଛନ୍ତି ।

ପ୍ରଥମ ଶ୍ରେଣୀର ଛାତ୍ର ଛାତ୍ରୀ ଅଙ୍ଗନବାଡି ପୋଷାକ ପିନ୍ଧି ଆସୁଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନ ପାଇଁ ସରକାରୀ ସ୍ତରରେ ବିଚିତ୍ର ନିୟମ ଦେଖିବାକୁ ମିଳୁଛି ।ପୂର୍ବରୁ ବିଦ୍ୟାଳୟ କମିଟି,ଶିକ୍ଷକ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ପୋଷାକ ବିତରଣ ପାଇଁ ଦାୟିତ୍ୱ ଦିଆଯାଇଥିଲା ।ପୂର୍ବ ସରକାରରେ ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା।

କିନ୍ତୁ ଏବେ ମହିଳା ମାନଙ୍କୁ ଅଗ୍ରାଧିକାର ପରିବର୍ତେ ଉଦ୍ୟୋଗୀ ମାନଙ୍କ ଜରିଆରେ ପୋଷାକ ଯୋଗାଇବାର ବ୍ୟବସ୍ଥା କରାଯାଇଛି। ସରକାର ଉଦ୍ୟୋଗୀ ମାଧ୍ୟମରେ ନିଜର ଦଳୀୟ କର୍ମୀଙ୍କୁ ଥଇଥାନ କରିବାର ବ୍ୟବସ୍ଥା କରିଛନ୍ତି। ନବୀନ ସରକାର ସମୟରେ ପୋଷାକ ଯୋଗାଣ ବ୍ୟବସ୍ଥା ଠିକ ଥିଲା। ଏବେବି ବିଦ୍ୟାଳୟ କମିଟି,ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଅଣଦେଖା କରାଯାଉଛି ।

ଉଦ୍ୟୋଗୀ ମାନଙ୍କୁ ପୋଷାକ ଯୋଗାଣ ଦାୟିତ୍ୱ ନ ଦେଇ ପୂର୍ବ ଭଳି ବିଦ୍ୟାଳୟ କମିଟି କିମ୍ବା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପୋଷାକ ଯୋଗାଣ ବ୍ୟବସ୍ଥା କରାଯାଉ। ଏହି ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀ ମଙ୍ଗଳବାର ପ୍ରେସ ବାର୍ତା ମାଧ୍ୟମ ରେ ଚେତାବନୀ ଦେଇଛନ୍ତି।

error: Content is protected !!