ଝାରବନ୍ଧ(ବଂଶୀଧର ନାୟକ)-ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, ଝାରବନ୍ଧ ଏବର୍ଷ ନିଆରା ଢଙ୍ଗରେ ସମ୍ବଲପୁରୀ ଦିନ ପାଳନ କରିଛି । ସମ୍ବଲପୁରୀ ଭାଷା ସଂସ୍କୃତି ଓ ପରିବେଶର ନିବିଡ଼ ସମ୍ପର୍କର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଏବର୍ଷ ବୃକ୍ଷରୋପଣ ପୂର୍ବକ ମହାବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳନ କରାଯାଇଛି । ନିର୍ଦ୍ଧାରିତ ଶ୍ରେଣୀ ପାଠପଢ଼ା ସରିବା ପରେ, ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଅଣଶିକ୍ଷକ କର୍ମଚାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ ପୂର୍ବକ ଆଞ୍ଚଳିକ ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ସହିତ, ଛାତ୍ରଛାତ୍ରୀଙ୍କ ସହ ମିଳିତ ଭାବରେ ବୃକ୍ଷାଚାରା ରୋପଣ କରିଥିଲେ । ବିଭିନ୍ନ କିସମର ପ୍ରାୟ ୮୦ ଗୋଟି ଚାରା ରୋପଣ କରାଯାଇଥିଲା ।
ଏହା ସହିତ ପ୍ରଥମ ସେମିଷ୍ଠାରରେ ନୂତନ ଭାବରେ ନାମଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ଅନ୍ୟ ଅଧ୍ୟାପକ କର୍ମଚାରୀଙ୍କ ସହ ସ୍ବାଗତ କରିଥିଲେ ତଥା ନିଜ କଳା ସଂସ୍କୃତି ଓ ପରିବେଶ କୁ ସମ୍ମାନ ଦେଇ ତାର ସୁରକ୍ଷା କରିବା ପାଇଁ ଆହ୍ବାନ ଦେଇଥିଲେ । ସମଗ୍ର ମହାବିଦ୍ୟାଳୟ ସମ୍ବଲପୁରୀ ଦିବସରେ ହର୍ଷ ଆନନ୍ଦମୟ ହୋଇ ଉତ୍ସବ ମୁଖର ହୋଇପଡ଼ିଥିଲା । ଏଥିରେ କଲେଜର ସମସ୍ତ ଅଧ୍ୟାପକ କର୍ମଚାରୀ ତଥା ଛାତ୍ରଛାତ୍ରୀ ରହି ସହଯୋଗ କରିଥିଲେ ।