Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସୁପ୍ରସିଦ୍ଧ ପଶ୍ଚିମ ଓଡିଶାର ପାପନାଶିନୀ ନୃସିଂହନାଥ ।

ସୁପ୍ରସିଦ୍ଧ ପଶ୍ଚିମ ଓଡିଶାର ପାପନାଶିନୀ ନୃସିଂହନାଥ ।

ସୁପ୍ରସିଦ୍ଧ ପଶ୍ଚିମ ଓଡିଶାର ପାପନାଶିନୀ ନୃସିଂହନାଥ ପୀଠ


ଓଡିଶାର ବଲାଙ୍ଗିର ଜିଲ୍ଲା ଓ ବରଗଡ ଜିଲ୍ଲା ସୀମାନ୍ତରେ ଥିବା ନୃସିଂହନାଥ ମନ୍ଦିରଟି ରାଜ୍ୟର ଏକ ପ୍ରମୁଖ ତିର୍ଥସ୍ଥଳୀ ଅଟେ । ଏହି ତିର୍ଥସ୍ଥଳୀକୁ ଓଡିଶା ତଥା ଛତିଶଗଡର ଭକ୍ତମାନଙ୍କ ପ୍ରତିଦିନ ବହୁଳଭାବରେ ସମାଗମ ହୁଅନ୍ତି । ଏଠାରେ ଏକ ଚିରସ୍ରୋତା ଝରଣାଟିଏ କୁଳୁ କୁଳୁ ନାଦରେ ବହିଯାଉଛି । ଏହାର ଆଖ ପାଖରେ ଥିବା ଘନ ଜଙ୍ଗଲର ବୃକ୍ଷରାଜି ଓ ଗନ୍ଧମାର୍ଦ୍ଦନ ପର୍ବତ ପରିବେଷ୍ଟିତ ହୋଇ ତିର୍ଥସ୍ଥଳୀକୁ ସୁଶୋଭିତ କରିଥାଏ । ଏହି ଗନ୍ଧମାର୍ଦ୍ଦନ ପର୍ବତମାଳାରେ ଅନେକଗୁଡିଏ ଛୋଟବଡ ପ୍ରପାତ ରହିଛି । ଏହି ପ୍ରପାତଗୁଡିକ ନାଁ ଗୁଡିକ ହେଲା କପିଳଧାର, ଚାଳଧାର,ଭୀମଧାର,ଗଜଧାର ଅଟେ । ଏହି ପ୍ରପାତଗୁଡିକ ଦେଖିବାକୁ ଅତି ମନୋହର । ପର୍ବତର ଅପର ପାଶ୍ୱର୍ରେ ହରିଶଙ୍କର ମନ୍ଦିର ଅବସ୍ଥିତ । ଗନ୍ଧମାର୍ଦ୍ଦନ ପାହାଡରେ ଜୀବନ ରକ୍ଷକ ଗୁଳ୍ମ ଓ ଔଷଧିୟ ବୃକ୍ଷ ଦେଖିବାକୁ ମିଳିଥାଏ । ଏ ପାହାଡରେ ଅନେକ ବନ୍ୟ ଜୀବଜନ୍ତୁ ବାସ କରନ୍ତି । ଏହାର ପାଦଦେଶରେ ଅନେକ ଗୁଡିଏ ଗାଁ ରହିଛି । ଏ ଗାଁର ବାସୀନ୍ଦାମାନେ ବଣରୁ ମିଳୁଥିବା କାଠ,ପତ୍ର,ଫଳ ମୂଳ, କନ୍ଦ ଇତ୍ୟାଦି ସଂଗ୍ରହକରି ଜୀବନ ନିର୍ବାହ କରନ୍ତି । ଏହି ପର୍ବତର କୋଳ ରେ ସୁପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଅବସ୍ଥିତ । ନୃସିଂହନାଥ ମନ୍ଦିରଟିକୁ ପରାଧିନ ଭାରତର ପାଟଣାଷ୍ଟେଟର ଚୈାହାନ ବଂଶର ରାଜା ବୈଜଲ ଦେବଙ୍କ ଦ୍ୱାରା ୧୪୧୩ ଖ୍ରୀଷ୍ଟାଦ୍ଦରେ ନିର୍ମିତ ହୋଇଥିଲା । କିମ୍ବଦନ୍ତୀରୁ ଜଣାଯାଏ ଯେ ଏକଦା ଏକ କନ୍ଧୁଣୀ କନ୍ଦାଗାଡ ଝରଣା ପାଖେ ପିଠାକନ୍ଦା ଖୋଜୁଥିବା ବେଳେ ଏକ ଗର୍ତ୍ତରୁ ରକ୍ତ ଧାର ବାହୁରୁଥିବା ଦେଖିଲା । ଏହା ଦେଖି ଭୟରେ ସେ କନ୍ଧ(ସ୍ୱାମୀ)କୁ ଯାଇ ଏକଥା ବର୍ଣ୍ଣନା କଲା । କନ୍ଧ ସେ ସ୍ଥାନକୁ ଯାଇ ବିସ୍ମିତ ହୋଇ ଉକ୍ତ ଗର୍ତ୍ତକୁ ଗଭୀର ଭାବେ ଖୋଲିବାରେ ଲାଗିଲା । ଖୋଳୁ ଖୋଳୁ ଗର୍ତ୍ତଭିତରେ ଗୋଟାଏ ଦେବତାଙ୍କ ମୂର୍ତ୍ତି ଦେଖିବାକୁ ପାଇଲା । ଉକ୍ତ ମୂର୍ତ୍ତିଟିକୁ ସେ ଗର୍ତ୍ତରୁ କାଢି ଆଣି ନିଜ ଘରେ ରଖିଲା । ସେ ଦିନ ରାତ୍ରୀପ୍ରହରରେ ତାକୁ ସ୍ୱପ୍ନାଦେଶ ହେଲା ଯେ ଯେଉଁ ମୂର୍ତ୍ତିଟିକୁ ସେ ଆଣିଥିଲା ସେ ସ୍ୱୟଂ ନୃସିିଂହନାଥ ବା ମାର୍ଜାରକେଶରୀ ଅଟନ୍ତି । ଏ କଥା ସେ ପାଟଣା ମହାରାଜ ବୈଜଲଦେବଙ୍କୁ ଜଣାଇଲା । ଉକ୍ତ ସ୍ଥାନରେ ମହାରାଜ ମନ୍ଦିର ତୋଳାଇ ପ୍ରଭୁ ନୃସିଂହନାଥଙ୍କୁ ସ୍ଥାପନ କରାଇଲେ । ସିଂହାସନର ବାହ୍ୟପାଶ୍ୱର୍ରେ ଚତୁର୍ଭୁଜ ବିଶିଷ୍ଟ ତ୍ରୀବିକ୍ରମଙ୍କ ମୂର୍ତ୍ତି ଅଛି । ତାଙ୍କ ପାଦଦେଶର ଏକ ପାଶ୍ୱର୍ରେ ଲକ୍ଷ୍ମୀ ଓ ଅନ୍ୟ ପାଶ୍ୱର୍ରେ ବାମନ ବାଳୀ ଏବଂ ତାଙ୍କ ମନ୍ତ୍ରୀଙ୍କ ମୂର୍ତ୍ତି ତଥା ଦକ୍ଷିଣକୁ ମୁହଁ କରି ବରାହଙ୍କ ମୂର୍ତ୍ତି ଅଛି । ସିଂହାସନ ମଧ୍ୟରେ ନୃସିଂହନାଥ ଅଥବା ମାର୍ଜାରକେଶରୀଙ୍କ ଏକ କ୍ଷୁଦ୍ର ପ୍ରତିମା ସ୍ଥାପିତ ହୋଇଛି । ପ୍ରତିମାରେ ରୋପ୍ୟଧାତୁରେ ନିର୍ମିତ ନାସା ଚକ୍ଷୁ ଓ ମୁଖ ଖଚିତ ହୋଇଛି । ଐତିହାସିକମାନେ ମତ ଦିଅନ୍ତି ଯେ ଏ ମନ୍ଦିରର ଦ୍ୱାରବନ୍ଧ ଓ ମହାମଣ୍ଡପର ପରିଲକ୍ଷିତ କାରୁକାର୍ଯ୍ୟଗୁଡିକୁ ଅନୁଧ୍ୟାନ କରି ଏହି ମନ୍ଦିରଟି ଖଜୁରାହୋ ମନ୍ଦିର ଶୈଳୀରେ ନିର୍ମିତ ହୋଇଥିବା କୁହାଯାଏ । ମନ୍ଦିର ନିର୍ମାଣ ଶୈଳୀର ଅନ୍ୟ ଏକ ବିଶେଷତ୍ୱ ହେଲା ଯେ ମଣ୍ଡପକୁ ଧରି ରଖିବା ପାଇଁ ସ୍ତମ୍ଭର ବ୍ୟବହାର ଓଡିଶାର ଅନ୍ୟ ମନ୍ଦିରମାନଙ୍କରେ ସାଧାରଣତଃ ଦୃଷ୍ଟିିଗୋଚର ହୁଏ ନାହିଁ । ଏ ସ୍ତମ୍ଭ ଦେହରେ ଖୋଦିତ ଚାରୁକଳା ଓ ଭାସ୍କର୍ଯ୍ୟ ଗୁଡିକ ପ୍ରାୟତଃ ୬୦୦ରୁ ୬୫୦ ଖ୍ରୀଷ୍ଟାଦ୍ଦର ବୋଲି ଗବେଷକମାନେ ମତପୋଷଣ କରନ୍ତି । ମୁଖ୍ୟ ମନ୍ଦିରର ମୂର୍ତ୍ତିଗୁଡିକ ବ୍ୟତୀତ ଆଉ ଅନେକ ଶିଳାମୂର୍ତ୍ତି ମଧ୍ୟ ଏଠାରେ ଦେଖିବାକୁ ମିଳେ । ସେ ଗୁଡିକ ହେଲା ବୃହତ୍ ଶିଳାଖଣ୍ଡରେ ଖୋଦିତ ହୋଇଥିବା ବିରାଟକାୟ ଦୁର୍ଗାମୂର୍ତ୍ତି,ଗଣେଶ,ବ୍ରହ୍ମା,ବିଷ୍ଣୁ,ମହେଶ୍ୱର,ନନ୍ଦୀ ପଞ୍ଚୁ ପାଣ୍ଡବ ମୂର୍ତ୍ତି । ଏ ଗୁଡିକ ପରବର୍ତ୍ତୀ ସମୟର ବୋଲି କେତେକ ଐତିହାସିକ ମତ ଦିଅନ୍ତି । ପାଷାଣ ଗାତ୍ରରେ ଅଙ୍କିତ ସୂକ୍ଷ୍ମସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ରୂପ ସମ୍ଭାର ଦେଖିଲେ ପ୍ରାଚୀନ କୋଶଳ ରାଜ୍ୟର ଶିଳ୍ପୀମାନଙ୍କର କଳା କୁଶଳତା ଶିଳ୍ପଚାତୁରୀ ଓ ଅପୂର୍ବ ସାଂସ୍କୃତିକ ଚେତନାର ପରାକାଷ୍ଠା ହୃଦୟଙ୍ଗମ ହୁଏ । ଏଠାରେ ବୌାଦ୍ଧଧର୍ମାବଲମ୍ବି ଓ ହିନ୍ଦୁଧର୍ମାବଲମ୍ବିଙ୍କ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିଥାଏ । ସପ୍ତମ ଖ୍ରୀଷ୍ଟାଦ୍ଦରେ ଚୀନ୍ ପରିବ୍ରାଜକ ହୁଏନସାଂଙ୍କ ବର୍ଣ୍ଣିତ ଐତିହାସିକ ବିବରଣୀରୁ ଜଣାଯାଏ ଯେ ପରିମଳ ଗିରି ବା ଗନ୍ଧମାର୍ଦ୍ଦନ ପର୍ବତର ଏହି ସ୍ଥାନରେ ବିଖ୍ୟାତ ବୈାଦ୍ଧପଣ୍ଡିତ ଓ ଦାର୍ଶନିକ ନାଗାର୍ଜୁନଙ୍କ ଏକ ବୈାଦ୍ଧବିହାର ଓ ବୈାଦ୍ଧମାନଙ୍କର ବିଶ୍ୱବିଦ୍ୟାଲୟ ସ୍ଥାପିତ ହୋଇ ଥିଲା ତାକୁ ଭୋଜଗଡ କୁହାଯାଏ । ପତ୍ନତତ୍ୱ୍ୱବିଦମାନଙ୍କ ଖନନ ସମୟରେ ଅନେକ ବୈାଦ୍ଧ କିର୍ତ୍ତିମାନ ଦେଖିବାକୁ ମିଳିଥିଲା । ମହାପ୍ରଭୁ ନୃସିଂହନାଥଙ୍କ ପୂଜା ଓ ନୀତିକାନ୍ତି ସ୍ୱତନ୍ତ୍ର ଧରଣର ଅଟେ । ଏଠାରେ ସାଧାରଣତଃ ନାବାଳକ ଅବିବାହିତ ଆରଣ୍ୟକ ବ୍ରାହ୍ମଣମାନେ ପୂଜା ଆରଧନା କରିଥାନ୍ତି । ସେମାନଙ୍କ ବିବାହ ହେଲାପରେ ପୂଜାରୁ ବାଦ୍ ପଡନ୍ତି ଓ ସେମାନେ ମନ୍ଦିରର ଅନ୍ୟ ନୀତି ପୂଜା କରିଥାନ୍ତି । ପ୍ରଥମେ ନୃସିଂହନାଥଙ୍କ ପୂଜା କନ୍ଧମାନେ କରୁଥିବାବେଳେ,ଦୁଇଜଣ ବ୍ରାହ୍ମଣପିଲା ଉପନୟନ ସମୟରେ ଗାର ଡେଇଁ ଆଜନ୍ମ ବ୍ରହ୍ମଚାରୀ ହୋଇ ପଳେଇ ଆସି, ଏ ମନ୍ଦିରରେ ଆଶ୍ରୟ ନେଇଥିଲେ । କନ୍ଧ ପୂଜକମାନେ ଅନ୍ନ ଭକ୍ଷଣ କରିବାକୁ କହିବାରୁ ସେମାନେ କହିଲେ ତୁମେ କନ୍ଧଜାତି ତୁମ୍ଭ ହାତରୁ ଅନ୍ନ ଭକ୍ଷଣ କରିବୁ ନାହିଁ । ସେ ସମୟରେ ଲୋକେ ବ୍ରାହ୍ମଣମାନଙ୍କୁ ଦେବତା ଭଳିଆ ସମ୍ମାନ କରୁଥିଲେ । ଏହି କାରଣରୁ କନ୍ଧପୂଜକମାନେ ସମ୍ମାନ ଜଣାଇ, ସେହି ଦୁଇ ବ୍ରାହ୍ମଣପିଲାଙ୍କୁ ପୂଜା ଆରଧନା ତଥା ଭୋଗ ରାନ୍ଧିବା ଦାୟିତ୍ୱ ଚିରଦିନ ପାଇଁ ଏ ସେବା ଅର୍ପଣ କଲେ । ଏହି ଦିନ ଠାରୁ ନାବାଳକ ଆରଣ୍ୟକ ବ୍ରାହ୍ମଣ ମହାପ୍ରଭୁ ନୃସିଂହାନାଥଙ୍କ ପୂଜାବିଧି କରି ଆସୁଛନ୍ତି । ଏବେ ଏମାନଙ୍କ ପାଇଁ ସଂସ୍କୃତ ବିଦ୍ୟାଳୟରେ ପାଠ ପଢିବାର ସୁଯୋଗ ଦିଆଯାଉଛି । ନୃସିଂହନାଥ ଭଗବାନଙ୍କ ନୀତିରେ ଗୋଟିଏ ସ୍ୱତନ୍ତ୍ର “ପଙ୍ଗତ”ଲାଗି ହୋଇଥାଏ । ଏହା ପ୍ରତ୍ୟହ ଦିବା ଘ. ୧୨ ଓ ସନ୍ଧ୍ୟା ଘ.୭ଟାରେ ହୋଇଥାଏ । ଏହି “ପଙ୍ଗତ”ଲାଗି ସରିଗଲେ ଜଣେ ବ୍ରାହ୍ମଣ ପିଲା ହରିହର ପଙ୍ଗତ ହରିହର ପଙ୍ଗତ ବୋଲି ତିନିଥର ଡାକରା ଦିଏ । ଏହାପରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ମାଗଣାରେ ଅନ୍ନ ପ୍ରସାଦ ପାଇଥାନ୍ତି । ମନ୍ଦିର ପଛପଟେ ଥିବା ପାହଡରେ ଏକ ଛୋଟ ସୁଡଙ୍ଗ(ଗର୍ତ୍ତ) ଅଛି । ଏହାକୁ ମୂଷିକଦୈତ୍ୟ ଦ୍ୱାର କହନ୍ତି । କଥିତ ହୋଇଅଛିଯେ,ଏକଦା ମୂଷିକ ଦୈତ୍ୟନାମରେ ଏକ ରାକ୍ଷାସ ରହିଥିଲା । ସେ ତାର ମାତାଙ୍କୁ ଭକ୍ଷଣ କରିଥିଲା । ସେ ଭଗବାନ ଶିବଙ୍କୁ ଘୋର ତପସ୍ୟାକରିଥିଲା । ତାର ତପସ୍ୟାରେ ଭଗବାନ ସନ୍ତୁଷ୍ଟ ହୋଇ ବରଦାନ ପ୍ରାପ୍ତ ହେଲା ଯେ, ସେ କେବଳ ନରସିଂହଙ୍କ ବ୍ୟତୀତ ଆଉ କାହାଦ୍ୱାରା ପରାଜିତ ହେବ ନାହିଁ । ବରଦାନ ପାଇଲାପରେ ସେ ଶକ୍ତିଶାଳୀ ହୋଇ ଦେବାଦବୀଙ୍କୁ ଅତ୍ୟାଚାର କଲା । ଦେବତାମନେ ଭୀତତ୍ରସ୍ଥ ହୋଇ ଭଗବାନ ବିଷ୍ଣୁଙ୍କୁ ଏଥିରୁ ତ୍ରାହି ପାଇବା ପାଇଁ ପ୍ରାର୍ଥନା କଲେ । ଭଗବାନ ବିଷ୍ଣୁ ନୃସିଂହ ରୂପ ଧାରଣ କରି ମୂଷିକଦୈତ୍ୟ ସାମନାରେ ପ୍ରକଟିତ ହେଲେ । ନୃସିଂହ ରୂପ ଦେଖି ଭୟରେ ମୂଷିକ ପଳାୟନ କଲା । ଭଗବାନ ତାର ଅନୁଧାବନ କଲେ । ଶେଷରେ ସେ ଗନ୍ଧମାର୍ଦ୍ଦନ ପର୍ବତର ଷୁଡଙ୍ଗ (ଗର୍ତ୍ତ)ମଧ୍ୟରେ ଯାଇ ଆତ୍ମଗୋପନ କଲା । ସେହି ଦିନୁ ଭଗବାନ ନୃସିଂହନାଥ ବା ମାର୍ଜାରକେଶରୀ ଉକ୍ତ ସୁଡଙ୍ଗ(ଗର୍ତ୍ତ)ମୁଖରେ ଜଗି ରହିଲେ । ସେହି ଦିନୁ ଏହି ସ୍ଥାନ ନୃସିଂହନାଥ ରୂପେ ବିଦିତ ହେଲା । ମନ୍ଦିର ନିକଟବର୍ତ୍ତି ଝରଣାରେ ଅନେକ ଗୁଡିଏ ଘାଟ ରହିଛି । ଏମାନଙ୍କ ମଧ୍ୟରୁ “ ଗୋକୁଣ୍ଡ ଘାଟ” ଅନ୍ୟତମ । କିମ୍ବଦନ୍ତୀରୁ ଜଣାଯାଏ ଯେ ଏଠାରେ ଭଗବାନ ଶିବ ଗୋହତ୍ୟା ପାପରୁ ମୁକ୍ତି ପାଇବା ପାଇଁ ଏ ଗୋକୁଣ୍ଡ ଘାଟରେ ସ୍ନାନ କରିଥିଲେ । ଯେଉଁମାନେ ଗୋହତ୍ୟା ପାପ କରନ୍ତି ସେମାନେ ଆସି ଏଠାରେ ସ୍ନାନ ଓ ମୁଣ୍ଡନ କରି ଗୋହତ୍ୟା ପାତକରୁ ମୁକ୍ତି ପାଇଥାନ୍ତି । ନୃସିଂହନାଥ ମନ୍ଦିରର ଏକ ମୁଖ୍ୟ ବିଶେଷତ୍ୱ ହେଲାଯେ,ଭାରତବର୍ଷରେ କୈାଣସି ଠାରେ ଗୋହତ୍ୟା ପାପରୁ ମୁକ୍ତି ପାଇବା ଏଭଳିଆ ଆଉ କୈାଣସି ତିର୍ଥସ୍ଥାନ ନାହିଁ । ଏହି ପର୍ବତମାଳାରେ ଏକ ବିରାଟ ଚଟାଣ ଖୋଳରୁ ଏକ ଛୋଟ ଜଳାଧାର ଝରି ଆସୁଛି । । ଲୋକକଥାନୁସାରେ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଏଠାକୁ ଆସି କିଛି ଦିନ ଅବସ୍ଥାନ କରିଥିଲେ । ଏହି ସମୟରେ ଭଗବାନ ଶ୍ରୀରାମଚନ୍ଦ୍ର ଗଙ୍ଗାଙ୍କୁ ଆଣିଥିଲେ । ତେଣୁ ସେ ଗୁପ୍ତଭାବରେ ପର୍ବତ କନ୍ଦରରୁ ଗଙ୍ଗାମାତା ଝରି ଆସୁଛନ୍ତି । ଏଣୁ ଏହା ଗୁପ୍ତଗଙ୍ଗା ନାମରେ ଖ୍ୟାତ । ଏହି ଦିନୁ ଏଠାରେ ପଶ୍ଚିମ ଓଡିଶା କାହିଁକି ଝାରଖଣ୍ଡ, ବିହାର,ଛତିଶଗଡରୁ ଲୋକେ ଅସ୍ଥି ପ୍ରବାହ ଓ ପିତୃପୁରୁଷ ତର୍ପଣ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଏହି ଗୁପ୍ତଗଙ୍ଗାକୁ ଆସିଥାନ୍ତି । ଗୁପ୍ତଗଙ୍ଗା ପାଖରେ ବିରାଟ ପଥର ଚଟାଣରେ ସୂର୍ଯ୍ୟ,ଚନ୍ଦ୍ର,ବ୍ରହ୍ମା ଏବଂ ପଞ୍ଚୁପାଣ୍ଡବଙ୍କ ମୂର୍ତ୍ତି ଖୋଦିତ ହୋଇଛି । ଏ ନୃସିଂହନାଥ ମନ୍ଦିରରେ ଏକ ସୁନ୍ଦର ସଂଗ୍ରହାଳୟ ଏବଂ ମାର୍ଜାରକେଶରୀ ବିଚାାରାଳୟ ମଧ୍ୟ ଅଛି । ଏ ବିଚାରାଳୟରେ ଅନେକ ସମସ୍ୟାର ସମାଧାନ କରାଯାଇ ଥାଏ । ପ୍ରଶାସନଙ୍କ ପଚେଷ୍ଟାରେ ଅନେକ ଧର୍ମଶାଳା, ଅତିଥି ଭବନ ଓ ସୁନ୍ଦର ଉଦ୍ୟାନ କରାଯାଇଅଛି । ଏ ଉଦ୍ୟାନରେ ହନୁମାନଙ୍କ ଗୋଟିଏ ବିରାଟ ମୂର୍ତ୍ତି ,ଭୀଷ୍ମଙ୍କ ଶରଶର୍ଯ୍ୟା,ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଗୀତା ଶୁଣାଉ ଥିବା ଦୃଶ୍ୟର ମୂର୍ତ୍ତି,ମୁଣ୍ଡକଟା ହୋଇ ସ୍ତମ୍ଭରେ ଥିବା ବେଳାଲସେନଙ୍କ ମୂର୍ତ୍ତି ଇତ୍ୟାଦି ଦେଖିବାକୁ ମିଳିଥାଏ । ନୃସିଂହନାଥ ମନ୍ଦିର ପ୍ରବେଶ ଦ୍ୱାରରେ ନୃସିଂହନାଥଙ୍କୁ ପାଇଥିବା କନ୍ଧ ଓ କନ୍ଧୁଣୀଙ୍କ ଚିତ୍ର ରହିଛି । ନୃସିଂହନାଥ ମନ୍ଦିରରେ ପ୍ରତିବର୍ଷ ବୈଶାଖ ଚତୁର୍ଦ୍ଦଶୀ ଦିନ ନୃସିଂହ ଚତୁର୍ଦ୍ଦଶୀ ପର୍ବପାଳନ ଉପଲକ୍ଷେ ଏଠାରେ ଏକ ବିରାଟ ମେଳା ହୁଏ । ଏହି ଦିନ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ଉପସ୍ଥାପନା-ପ୍ରବିଣ କୁମାର ପୁରୋହିତ(ପାଟଣାଗଡ)

error: Content is protected !!