ବରପାଲି – ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ବରପାଲି ଗଙ୍ଗାଧର କଲ୍ଯାଣ ମଣ୍ତପରେ ଜୟନ୍ତୀ ସମାରୋହ ଆୟୋଜିତ ହୋଇଥିଲା। ବକ୍ତାମାନେ ପ୍ରକାଶ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମି ଓ ଗଙ୍ଗାଧର ମେହେର କ୍ଲବ୍ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସାରସ୍ବତ ସଭାକୁ କ୍ଲବ ସଭାପତି ଡ.ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା | ମୁଖ୍ୟଅତିଥି ଭାବରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବରେ ଡ.କୃଷ୍ଣକେଶବ ଷଢଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମି ଅତିରିକ୍ତ ସମ୍ପାଦକ ସଂଜୟ ଛରୁଆଲ ଯୋଗ ଦେଇଥିଲେ। ଅତିଥି ମାନେ ସ୍ବଭାବ କବିଙ୍କ ସାହିତ୍ୟ କୃତି ଓ ଲେଖନୀର ମାଧୁର୍ଯ୍ଯ,ପରାକାଷ୍ଠା ଓ ଚେତନା ଉପରେ ଆଲୋକପାତ କରିଥିଲେ। କ୍ଲବ ଉପସଭାପତି ନରେନ୍ଦ୍ର ହୋତା ସ୍ବାଗତ ଜଣାଇଥିବା ବେଳେ ସହସମ୍ପାଦକ ବାଳକିଶୋର ଖାଡ଼ଙ୍ଗା ପରିଚୟ ପ୍ରଦାନ ଓ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
ଏହି ଅବସରରେ ନାଟ୍ଯକାର ଅଶୋକ ବହିଦାରଙ୍କୁ ହରପ୍ରିୟା ମୁଣ୍ଡ ସ୍ମାରକୀ ଗଙ୍ଗାଧର ସମ୍ମାନ ଓ ଷଢ଼େଇକଳା-ଖରସୁଆଁ ଅଞ୍ଚଳର ସାହିତ୍ୟିକ ବିଷ୍ଣୁପଦ ସିଂହଦେଓଙ୍କୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କବି ଚିତ୍ରକୁଟ ମେହେରଙ୍କ ‘ତପସ୍ବିନୀ କାବ୍ୟପ୍ରଭା’ ପୁସ୍ତକକୁ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ସକାଳେ କ୍ଲବ୍ ପରିସରରେ ଥିବା ଗଙ୍ଗାଧରଙ୍କ ଆବକ୍ଷ ପ୍ରତିମୂର୍ତ୍ତି ତଥା କବି ଭବନଠାରେ ଗଙ୍ଗାଧର ମେହେର କ୍ଲବ୍ ପକ୍ଷରୁ କବିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା | ସେହିପରି ଗଙ୍ଗାଧର ମେହେର ଭୁଲିଆ ସମାଜ ପକ୍ଷରୁ ସ୍ବଭାବକବିଙ୍କ ପ୍ରତିମୃତିକୁ ଏକ ସୁସଜ୍ଜିତ ରଥରେ ସହର ପରିକ୍ରମା କରାଯାଇଥିଲା। ପରେ କବିଙ୍କ ବସଷ୍ଟାଣ୍ତ ସ୍ଥିତ ପୂର୍ଣାବୟବ ପ୍ରତିମୂର୍ତ୍ତି ଏବଂ କବି ଭବନ ପରିସରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ସରସ୍ଵତୀ ମହିଳା ସଂଘ ପକ୍ଷରୁ କବିଙ୍କ ପ୍ରତିମୂର୍ତ୍ତି ନିକଟରେ ‘ମଙ୍ଗଳେ ଅଇଲା ଉଷା’ ସଙ୍ଗୀତ ଗାନ ମାଧ୍ଯମରେ ଦୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।