ବିବିଧତାରେ ଏକତା ଭାରତର ବିଶେଷତା – ରାଜ୍ୟପାଳ ।
ଭୁବନେଶ୍ୱର – ରାଜଭବନଠାରେ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସ୍ଥାପନା ଦିବସ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଉପସ୍ଥିତିରେ ଏକ ଉତ୍ସବ ମୁଖରିତ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ରାଜ୍ୟଗୁଡ଼ିକ ହେଲେ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ହରିଆନା, କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ପଂଜାବ, ତାମିଲନାଡ଼ୁ, ଚଣ୍ଡିଗଡ଼, ଦିଲ୍ଲୀ, ପୁଡୁଚେରୀ, ଜାମ୍ମୁ ଓ କାଶ୍ମୀର, ଲଦାଖ, ଉତ୍ତରାଖଣ୍ଡ, ଆଣ୍ଡାମାନ ଓ ନିକୋବର ଏବଂ ଲାକ୍ଷାଦ୍ୱୀପ। ଏହି ଉପଲକ୍ଷେ ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଓଡ଼ିଶାରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଅନ୍ୟ ରାଜ୍ୟର ବ୍ୟକ୍ତି ବିଶେଷ ଏବଂ ରାଜ୍ୟମାନଙ୍କର ସାଂସ୍କୃତିକ ପରିଷଦମାନଙ୍କର ସକ୍ରିୟ ଅଂଶ ଗ୍ରହଣ ମଧ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଶ୍ରୀ ଦାସ ବିବିଧତାରେ ଏକତା ଭାରତର ବିଶେଷତା ବୋଲି କହିବା ସହିତ ବିବିଧତାର ଆମେ ଗୌରବ କରୁ ବୋଲି କହିଥିଲେ । ବିବିଧତାରେ ଏକତା ଏକ ସ୍ଲୋଗାନ୍ରେ ସୀମିତ ନୁହେଁ ବରଂ ଏହା ଅପାର ଶକ୍ତିର ଭଣ୍ଡାର ବୋଲି ସେ ପ୍ରକାଶ କରିଥିଲେ। ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ରାଜଭବନରେ ପାଳିତ ରାଜ୍ୟ ସ୍ଥାପନା ଦିବସ ପାଳନ ପରସ୍ପର ମଧ୍ୟରେ ଖୁସି ଏବଂ ଆନନ୍ଦ ବାଂଟିବାର ପର୍ବ ଯାହା ଆମ ରାଷ୍ଟ୍ରୀୟ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରାଉଛି ବୋଲି ରାଜ୍ୟପାଳ କହିଥିଲେ। ଓଡ଼ିଶାରେ ଶିକ୍ଷା ଲାଭ କରୁଥିବା ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଜ୍ଞାନର ସଂପର୍କ ସେତୁ ସ୍ଥାପନ ଓ କର୍ମକ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ରାଜ୍ୟର ବିକାଶ ଓ ପ୍ରଗତିରେ ଅଂଶ ଗ୍ରହଣ ଓ ଅବଦାନକୁ ପ୍ରଶଂସା କରିବା ସହିତ ସାମାଜିକ ଓ ସାଂସ୍କୃତିକ ପରିଚୟକୁ ସମୃଦ୍ଧ କରାଉଛି ବୋଲି ରାଜ୍ୟପାଳ କହିଥିଲେ।
ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ପରମ ଆତିଥେୟତା ଏକତାର ଭାବନାକୁ ମଜବୁତ କରିବାକୁ ପ୍ରତିବଦ୍ଧ ବୋଲି ରାଜ୍ୟପାଳ କହିଥିଲେ। ସ୍ଥାପନା ଦିବସ ପାଳିତ ହେଉଥିବା ରାଜ୍ୟମାନଙ୍କର ଓଡ଼ିଶାରେ ଥିବା ସାଂସ୍କୃତିକ ପରିଷଦର କଳାକାରମାନେ ବିବିଧରେ ଏକତା ଉପରେ ଆଧାରିତ ଚତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟପାଳ ପରିଷଦ ଓ କଳାକାରମାନଙ୍କୁ ମାନପତ୍ର ପ୍ରଦାନ କରିବା ସହ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ସନ୍ତୋଷ କୁମାର ଶତପଥି ଏବଂ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ମଧ୍ୟ ଉଦ୍ବୋଧନ ଦେଇଥିଲେ । ନିଜ ନିଜ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିବିଶେଷ ନିଜ ରାଜ୍ୟର ସଂସ୍କୃତି, କଳା, ପର୍ଯ୍ୟଟନର ବ୍ୟାପକ ସୁବିଧା ସଂପର୍କରେ ନିଜର ବ୍ୟକ୍ତବ୍ୟ ରଖିଥିଲେ। ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।