ଗାଇସିଲେଟ-ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ କୁଲିଆରୀ ଗ୍ରାମରେ ବିଧିବଦ୍ଧ ଭାବରେ କୋଶଳୀ ଫିଲ୍ମ ‘ନିନ୍ଦା’ ରିଲିଜ ହୋଇଯାଇଛି । ଗୌନ୍ତିଆ ଯଦୁମଣି ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ସୁଶାନ୍ତ ନନ୍ଦ,ସମ୍ମାନିତ ଅତିଥି ଗୋପୀନାଥ ଦଣ୍ଡସେନା, ରାଜେଶ ଦଣ୍ଡସେନା ଓ ଦେବେନ୍ଦ୍ର ଯୋଷୀ ପ୍ରମୁଖ ଯୋଗଦେଇଥିଲେ । ଦାଦନ ନେଉଥିବା ସର୍ଦ୍ଦାର କିଭଳି ଭାବରେ ଶ୍ରମିକ ମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ପଠାଇଥାନ୍ତି । ଅନେକ ସମୟରେ ବାହାର ରାଜ୍ୟରେ ଶ୍ରମିକ ମାନେ ନିର୍ଯାତିତ ହେଉଥିବା ବେଳେ କିଛି ଶ୍ରମିକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ ଏଭଳି ଅନେକ ଖବର ଗଣମାଧ୍ୟମରେ ଦେଖିବାକୁ ମିଳିଥାଏ ।

ଏହାକୁ ନେଇ ଲୋକେ ସବୁବେଳେ ସର୍ଦ୍ଦାର କୁ ନିନ୍ଦା ଦେଇଥାନ୍ତି । କାରଣ ଯେଉଁ ସର୍ଦ୍ଦାର କିଛି ଟଙ୍କା ରୋଜଗାର କରିବା ପାଇଁ ନିଜ ଅଞ୍ଚଳରୁ ଅନ୍ୟରଜ୍ୟକୁ ଶ୍ରମିକ ଚାଲାଣ କରି ପରବର୍ତ୍ତୀ ସମୟରେ ତା ପାଖରେ କିଛି ଖୋଜ ଖବର ରଖି ନଥାଏ । ଏଣୁ ଦାଦନ ଶ୍ରମିକର ପରିବାର ବର୍ଗ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ଫିଲ୍ମରେ କିନ୍ତୁ କାହାଣୀ ଅଲଗା ପ୍ରକାର ରହିଛି । ଦାଦନ ପଠାଉଥିବା ସର୍ଦ୍ଦାର ଶ୍ରମିକଙ୍କୁ ଅନ୍ୟ ରାଜ୍ୟକୁ ପଠାଇବା ସହ ଏଠାରେ ତାଙ୍କର ପରିବାରଙ୍କ ଭଲ ମନ୍ଦ ବୁଝିବା ଓ ଅସୁବିଧା ସମୟରେ ଉକ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ନିଜ ଘରକୁ ପହଞ୍ଚାଇବା ଭଳି ମହାନ କାମ କରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି ଏହି କାହାଣୀର ମୁଖ୍ୟ ଖଳନାୟକ ମନ ସର୍ଦ୍ଦାର ।

ଏଭଳି ଏକ ମନଛୁଆଁ କାହାଣୀକୁ ନେଇ ‘ନିନ୍ଦା ‘ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ତେବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡା ଏହି କାହାଣୀକୁ ରଚନା କରିଥିବା ବେଳେ ନିଜେ ଗୌନ୍ତିଆ ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି । ପ୍ରଥମେ ଗ୍ରାମର ଇଷ୍ଟ ଦେବୀ,ମା ବୀଣାପାଣିଙ୍କୁ ପୂଜାର୍ଚ୍ଚନା କରାଯାଇ ଏହି ଫିଲ୍ମ କୁ ରିଲିଜ କରାଯାଇଥିଲା । ନିରଞ୍ଜନ ପଣ୍ଡା ଓ ଗୋପିନାଥ ଦଣ୍ଡସେନାଙ୍କ ପ୍ରଯୋଜନାରେ ଏହି ଫିଲ୍ମ ନିର୍ମାଣ ହୋଇଥିବା ବେଳେ ସଂଳାପ,ଗୀତ ଓ ନିର୍ଦ୍ଦେଶକ ଭାବରେ ଚୂଡ଼ାମଣି ମୁଦୁଲି ଦାୟିତ୍ୱ ନିର୍ବାହ କରିଛନ୍ତି । ସହକାରୀ ନିର୍ଦ୍ଦେଶକ ଭାବରେ ଲକି ଖମାରୀ କାର୍ଯ୍ୟ କରିଥିବା ବେଳେ ନିଜେ ମନ ସର୍ଦ୍ଦାର ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି ।

ଏଥିରେ ମୁଖ୍ୟ ଭୂମିକାରେ ସତ୍ୟଜିତ ସାହୁ,ଗୀତାଞ୍ଜଳି ବାରିକ,କୁମୁଦିନୀ ପୃଷ୍ଟି, ପୁଷ୍ପାଞ୍ଜଳୀ ମେହେର, ବୈରାଗୀ ସାହୁ,ଲକ୍ଷ୍ମଣ ଭୋଇ,ରୁଦ୍ର ସାହୁ, ଦେବେନ୍ଦ୍ର ଭୋଇ,କାର୍ତ୍ତିକ ବରିହା,ମହାଦେବ ସାହୁ,ସୌରାଙ୍ଗ ଧରେଇ,ଚନ୍ଦ୍ରମା ଭୋଇ,ସୁମତି ସା,ମମତା ଅମରି ପ୍ରମୁଖ ଅଭିନୟ କରିଛନ୍ତି ।କ୍ୟାମେରା ମ୍ୟାନ ଭାବରେ ଐବର୍ତ୍ତ ନାଏକ,ଧରଣୀଧର ପଟେଲ ଦାୟିତ୍ୱ ତୁଲାଇଛନ୍ତି । କାଇଁଚ ମିଡିଆ ୟୁଟ୍ୟୁବ ଚେନାଲ୍ରେ ଏହା ଉପଲବ୍ଧ ହୋଇଯାଇଛି । ତେବେ ପ୍ରୋଜେକ୍ଟର ମାଧ୍ୟମରେ ଫିଲ୍ମ ଦେଖିବା ପରେ ଲୋକେ ଏହାର କାହାଣୀ ଓ ଅଭିନେତା, ଅଭିନେତ୍ରୀଙ୍କ ସୁନ୍ଦର ଅଭିନୟ ପାଇଁ ଖୁବ୍ ପ୍ରଶଂସା କରିଥିଲେ । ସୁଟିଂ ଆରମ୍ଭରୁ ଫିଲ୍ମ ରିଲିଜ ପର୍ଯ୍ୟନ୍ତ ଗ୍ରାମବାସୀ ମାନେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିବାରୁ ଶ୍ରୀମାନ ନିରଞ୍ଜନ ପଣ୍ଡା ଗ୍ରାମବାସୀଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।



