ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ଥାନା ପାଢେଲ ଗାଁ ନିକଟରେ ପଦ୍ମପୁର ପଟରୁ ପାଟଣାଗଡ଼ ପଟକୁ ଆସୁଥିବା ଏକ ମାଲ ବୋଝେଇ ପିକଅପ ନିମ୍ବ ଗଛରେ ଜୋରରେ ପିଟିହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଲିଛି। ମୃତ ଯୁବକ ଦ୍ବୟ ହେଲେ ତୁଷୁରା ଥାନା ବ୍ରାହ୍ମଣୀଯୋର ଗାଁର ନିତ୍ୟାନନ୍ଦ ବାଗ ଓ ସିଂଘାଣି ମୁଣ୍ଡା ଗାଁର ଜଳନ୍ଧର ସାହୁ ବୋଲି ଜଣାପଡିଛି।
ମିଳିଥିବା ତଥ୍ଯ ଅନୁସାରେ ସୋମବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ପଦ୍ମପୁର ପଟରୁ ପାଟଣାଗଡ଼ ପଟକୁ ଆସୁଥିବା ଏକ ମାଲ ବୋଝେଇ ପିକଅପ ଭ୍ୟାନ ପାଢେଲ ଗାଁ ନିକଟରେ ମୁଖ୍ୟ ରାସ୍ତାରେ ଏକ ନିମ୍ବ ଗଛକୁ ଜୋରରେ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଗାଡ଼ିରେ ଥିବା ଡ୍ରାଇଭର ଓ ତାର ସହଯୋଗୀର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳକୁ ପାଢେଲ ଗାଁର ଲୋକେ ଆସି ପୋଲିସ ଓ ଦମକଳ ବିଭାଗକୁ ଖବର ଦେଇଥିଲେ।
ଡ୍ରାଇଭରକୁ ଲୋକେ ଗାଡ଼ିରୁ କାଢି ପାଟଣାଗଡ଼ ଡାକ୍ତରଖାନା ନେବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ତାର ମୃତ୍ୟୁ ହୋଇସାରିଥିଲା। ଡ୍ରାଇଭର ସହ ଥିବା ସହଯୋଗୀର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇସାରିଥିଲା। ଜୋରରେ ଧକ୍କା ହେବା ଫଳରେ ସହଯୋଗୀର ଶବ ଗାଡି ଭିତରେ ଫସି ରହିଥିଲା। ଦମକଳ ବାହିନୀ ଓ ପାଟଣାଗଡ଼ ଥାନାଧିକାରୀ ହରିବନ୍ଧୁ ଗଡତିଆ ପହଞ୍ଚି ଉଦ୍ଧାର କରିଥିଲେ । ଏ ଘଟଣାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଉଭୟଙ୍କ ଶବକୁ ବ୍ୟବଛେଦ ପାଇଁ ପାଟଣାଗଡ ଡାକ୍ତରଖାନାରେ ରଖାଯାଇଛି ।ଅନ୍ୟପଟେ ମୃତକର ପରିବାର ଲୋକେ ପହଞ୍ଚିଥିବା ଜଣାପଡିଛି।