ବରପାଲି-ସୀତାରାମ ସମ୍ବଲପୁରୀ ମହାକାବ୍ୟର ଲେଖକ ମଣିନନ୍ଦ ସାହୁଙ୍କ ଜୀବନ ବାସ୍ତବିକ ଏକ ପ୍ରେରଣାପ୍ରଦ ରହିଥିଲା । ବରଗଡ଼ ଜିଲ୍ଲା ନୁନିଆ ଯାମପାଲି ଗ୍ରାମରେ ୦୧.ଜାନୁୟାରୀ ୧୯୨୬ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ଗତ ୧୯ ତାରିଖରେ ଇହଧାମ ତ୍ୟାଗ କରିଥିଲେ । ପିତା ଠାକୁର ସାହୁ ଓ ମାତା ସୁନାଫୁଲ ସାହୁଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ରାମସୀତାଙ୍କ ମହନୀୟ ଦିବ୍ୟଜୀବନକୁ ସମ୍ବଲପୁରୀ/କୋଶଳୀ ଭାଷାରେ ରଚନା କରି ପଶ୍ଚିମ ଓଡ଼ିଶାର ଜନମାନସରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି । ମହାକାବ୍ୟର ଭାଷା ଖୁବ୍ ସରଳ ଓ ସାବଲୀଳ ।
ଜଣେ ଉଚ୍ଚ ଚେତନା ସମ୍ପନ୍ନ ବ୍ୟକ୍ତିତ୍ଵ ଭାବରେ ତାଙ୍କର ମହତ୍ କବିଦୃଷ୍ଟି ଏଥିରେ ପ୍ରତିଫଳିତ ହୋଇପାରିଛି। ଠିକ୍ ସେହିଭଳି ଭଗବତ୍ ଗୀତର ଅଠରଟି ଅଧ୍ୟାୟକୁ ଅଠରଟି କବିତା ମାଧ୍ୟମରେ ରଚନା କରି କବି ଯଶସ୍ଵୀ ହୋଇଛନ୍ତି । ଏହା ଆଜି ପର୍ଯ୍ୟନ୍ତ ଅପ୍ରକାଶିତ ଭାବରେ ରହିଛି। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗାନ୍ଧୀ କଥାମୃତ ନାମକ ଏକ ସମ୍ବଲପୁରୀ କାବ୍ୟ କବି ରଚନା କରିଛନ୍ତି । ଏହା ମଧ୍ୟ ପ୍ରକାଶର ମୁହଁ ଦେଖି ପାରିନାହିଁ । ତଙ୍କର ‘ସୁରେଖା ହରଣ୍ ‘ ଏକ ବହୁଚର୍ଚ୍ଚିତ ନାଟକ । ଗୀତିନାଟ୍ୟ ରଚନା କରି କବି ଏଥିରେ ବହୁବାର ଅଭିନୟ ମଧ୍ୟ କରିଛନ୍ତି, ଯାହା ସେହି ସମୟରେ ଅନେକ ଜନାଦୃତି ଲାଭ କରିଥିଲା ।
ନୁନିଆ ଜାମପାଲିର ସରପଞ୍ଚ ଭାବରେ ୧୯୭୦ରୁ ୧୯୮୦ ପର୍ଯ୍ୟନ୍ତ ପ୍ରାୟ ଏକ ଦଶନ୍ଧି ଧରି ଜନ ସାଧାରଣଙ୍କ ସହିତ ନିଜକୁ ଯୋଡ଼ି ସକ୍ଷମ ହେବା ସହ ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । କେବଳ କବି ଅଥବା ଲେଖକ ଭାବରେ ନୁହେଁ, ଗ୍ରାମାଞ୍ଚଳର ଶିକ୍ଷାର ବିକାଶ ବିନା ଦେଶର ପ୍ରଗତି ଅସମ୍ଭବ ଏହି କଥା ମର୍ମେ ମର୍ମେ ଅନୁଭବ କରିଥିଲେ ମଣୀନନ୍ଦ ସାହୁ । ଏଥିପାଇଁ ନୁନିଆ ଜାମପାଲି ରେ ସମ୍ବଲେଶ୍ୱରି ହାଇସ୍କୁଲ ତାଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା ହୋଇପାରିଥିଲା ।
ସେହି ହାଇସ୍କୁଲର ସେ ପ୍ରତିଷ୍ଠାତା ସଭାପତି ମଧ୍ୟ ରହିଥିଲେ । ଗ୍ରାମର ୟୁ.ଜି. ଏମ. ଇ ସ୍କୁଲ୍ ମଧ୍ୟ ତାଙ୍କର ମାନସ ସନ୍ତାନ ଥିଲା । ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ତିନିପୁଅ ଗୋବିନ୍ଦ, ସରୋଜ, ବିଜୟ, ଏବଂ ଝିଅ ସିନ୍ଧୁଲତାଙ୍କୁ ଅଞ୍ଚଳର ସମସ୍ତ ଲୋକ ସମବେଦନା ଜଣାଇଛନ୍ତି । ଏହି ମହାନ ବ୍ୟକ୍ତିତ୍ଵଂକ କର୍ମମୟ ଜୀବନ ଯୁବସମାଜ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ନିଶ୍ଚୟ ।