ନୂଆପଡା (ଡୋଲେଶ୍ୱର ଵାଗ)-ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ୧୩୯୧୮ ଜଣ ଚଳିତ ସାଧାରଣ ନିର୍ବାଚନରେ ଭୋଟ ଦେଇ ନାହାନ୍ତି,ତନ୍ମଧ୍ୟରୁ ବର୍ତ୍ତନସିଲ ଗ୍ରାମର ଅଙ୍ଗଦ ତାଣ୍ଡି ଓ ତାଙ୍କ ପତ୍ନୀ ଲଳିତା ତାଣ୍ଡି । କାରଣ ଚାଖଣ୍ଡେ ପେଟକୁ ଖାଦ୍ୟ ଯୋଗାଇବା ପାଇଁ ଅର୍ଥ ଉପାର୍ଜନ ନିମିତ୍ତ ଓଡ଼ିଶା ଛାଡ଼ି ଆନ୍ଧ୍ର ରାଜ୍ୟକୁ ଦାଦନ ଯାଇଛନ୍ତି ଘରେ ୧୬ ବର୍ଷର ନାବାଳିକା ଝିଅକୁ ଛାଡ଼ି । ଦାଦନ ବାସରେ କିଏ ରୋଗ ଗ୍ରସ୍ତ ତ ଆଉ କାହାର ରାସ୍ତା ଦୁ୍ର୍ଘଟଣାରେ ପ୍ରାଣହାନି,ପୁଣି କାହାର ହାତ କଟେ ତ ଆଉ କାହାର ଘରକୁ ଫେରିଲା ପରେ ଜୀବନ ଯାଏ,କାହାର ଝିଅ ହଜିଯାଏ ପୁଣି କାହାର ପୁଅ ,ଏସବୁ ଦାଦନ କାହାଣୀର ଗୋଟିଏ ଗୋଟିଏ ପୃଷ୍ଠା ଅନେକ ପୋଲିସ ଷ୍ଟେସନରେ ଦେଖିବାକୁ ମିଳେ । କିନ୍ତୁ ଏଠି ଦାଦନ ଶ୍ରମିକ ଅଙ୍ଗଦ ତାଣ୍ଡିଙ୍କ କାହାଣୀ ଅଲଗା । ସେ ତାଙ୍କ ଝିଅ କୁ ନିଜ ଘରେ ଛାଡ଼ି ଦାଦନ ଗଲେ ।ଗତ ଏପ୍ରିଲ ମାସ ୨୨ ତାରିଖ ଦିନ ଅଙ୍ଗଦ ଙ୍କ ନାବାଳିକା ଝିଅ ଗାଁରୁ ନିଖୋଜ ହୋଇଯାଇଛନ୍ତି । ପରିବାରର ସମ୍ପର୍କୀୟ ମାନେ ଖୋଜି ଖୋଜି ନୟାନ୍ତ ହେଲା ପରେ ଝିଅର କାକା (ଦାଦା) ନାରାୟଣ ତାଣ୍ଡି ବୋଡ଼େନ ପୋଲିସ ଷ୍ଟେସନ ଅଧିକାରୀଙ୍କୁ ଲିଖିତ ଜଣାଇଥିବା ପ୍ରକାଶ କରିଛନ୍ତି । ନିର୍ବାଚନ ଦୃଷ୍ଟିରୁ ପୋଲିସ କର୍ମଚାରୀ ନିର୍ବାଚନରେ ନିଯୁକ୍ତ ଥିବା ସତ୍ତ୍ବେ ମଧ୍ୟ ପୋଲିସର ଖୋଜିବା ଶୈଳୀରେ ଅଧିକାରୀଗଣ ପ୍ରୟାସ ଜାରି ରଖିଛନ୍ତି । ଝିଅ ନିଖୋଜ ହେବାରେ କାହାର ହାତ ଅଛି କି କାହାକୁ ସନ୍ଦେହ କରୁଛନ୍ତି କି ବୋଲି ତାଙ୍କ ସମ୍ପର୍କୀୟଙ୍କୁ ପଚାରିବାରୁ କହିଲେ ଯେ କାହାକୁ ସନ୍ଦେହ କରୁନାହାନ୍ତି ।