Saturday, March 7, 2026
Homeରାଜ୍ୟବରଗଡ଼ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ।

ବରଗଡ଼ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ।

“ କ୍ଵାଣ୍ଟମ ଯୁଗର ଆରମ୍ଭ : ସମ୍ଭାବନା ଓ ଆହ୍ଵାନ ”

ବରଗଡ଼-ବରଗଡ଼ ବିଜ୍ଞାନ କେନ୍ଦ୍ର, ଟୁକୁର୍ଲା ସଭାଗୃହରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଜିଲ୍ଲା ଶିକ୍ଷା କାର୍ୟାଳୟ, ବରଗଡ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ବିଜ୍ଞାନ ନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ବିଜ୍ଞାନଭିତ୍ତିକ ସଫଳତା ସହ ସେମିନାରର ଆଭିମୁଖ୍ୟ ଓ ନିୟମାବଳୀ ଜଣାଇଥିଲେ । ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁ ଯୋଗଦେଇ ଏକବିଂଶ ଶତାବ୍ଦୀରେ କ୍ଵାଣ୍ଟମ କଣିକା କିଭଳି ସାହାଯ୍ୟ କରିପାରିବ ଏବଂ ଏ ସମ୍ପର୍କିତ ନୂତନ ଉଦ୍ଭାବନ ପାଇଁ ପ୍ରତିଯୋଗୀ ମାନଙ୍କୁ ଆହ୍ଵାନ ଦେଇଥିଲେ । ଚଳିତ ବର୍ଷର ବିଜ୍ଞାନ ଆଲୋଚନା ଚକ୍ରର ବିଷୟ ବସ୍ତୁ, “କ୍ଵାଣ୍ଟମ ଯୁଗର ଆରମ୍ଭ : ସମ୍ଭାବନା ଓ ଆହ୍ଵାନ” ବିଷୟରେ ଜିଲ୍ଲାର ୧୨ଟି ବ୍ଲକରୁ ବିଜୟୀ ହୋଇ ଆସିଥିବା ୨୪ ଜଣ ପ୍ରତିଯୋଗୀ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରିଥିଲେ ।

ବିଚାରକ ଭାବେ ପି କେ ଏ ଆଇ ଇ ଟି ର ପଦାର୍ଥ ବିଜ୍ଞାନ ସହକାରୀ ପ୍ରଫେସର ନିରଞ୍ଜନ ପଣ୍ଡା ଓ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ବିଶ୍ଵଜିତ ସାହୁ ଯୋଗଦେଇଥିଲେ । ସେମିନାରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ବାନ୍ଦୁପାଲିର ସଂସ୍କାର ପଟ୍ଟନାୟକ ପ୍ରଥମ ସ୍ଥାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଗୋବିନ୍ଦପୁରର ଶୁଭଶ୍ରୀ ମହାପାତ୍ର ଦ୍ଵିତୀୟ ସ୍ଥାନ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବରପାଲିର ଆଫ୍ରିନ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲାସ୍ତରରେ ବିଜୟୀ ପ୍ରଥମ ପ୍ରତିଯୋଗୀ ରାଜ୍ୟସ୍ତରକୁ ଉନ୍ନୀତ ହୋଇ ଆଗାମୀ ୧୫ ତାରିଖରେ ଭୁବନେଶ୍ଵରଠାରେ ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିବେ । ସେମିନାର ଆରମ୍ଭରୁ ବିଜ୍ଞାନ ଶିକ୍ଷକ ପ୍ରିୟବ୍ରତ ସାହୁ ଓ ଶିକ୍ଷକ ଭବାନୀ ଶଙ୍କର ଗଡତିଆ ବିଭିନ୍ନ ବ୍ଲକରୁ ଆସିଥିବା କୃତି ଛାତ୍ରଛାତ୍ରୀଙ୍କ କୁଇଜ ପ୍ରତଯୋଗିତା ଅନୁଷ୍ଠିତ କରାଇଥିଲେ ।

ଉଦଯାପନୀ ସମାରୋହରେ ସଭାପତି ତଥା ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ଉପସ୍ଥିତ ବିଚାରକଗଣ ଆଧୁନିକ ବିଜ୍ଞାନ ସହ ସମତାଳ ଦେଇ ଚାଲିବା ସହ ରାଜ୍ୟସ୍ତରରେ ସଫଳ ହେବାକୁ ବିଭିନ୍ନ ପରାମର୍ଶ ଦେଇଥିଲେ । ବିଜ୍ଞାନ ଶିକ୍ଷକ ଭବାନୀ ଶଙ୍କର ଗଡ଼ତିଆ ସ୍ଵାଗତ ଭାଷଣ ଦେବା ସହ ସଭା ଓ ସେମିନାର ସଂଯୋଜନା କରିଥିଲେ ଏବଂ ମାନସ ରଞ୍ଜନ ଶତପଥି ଓ ଲକ୍ଷ୍ମୀ ନାରାୟଣ ସାହା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ କେନ୍ଦ୍ର ସଂଯୋଜକ ଗୋପୀନାଥ ପ୍ରଧାନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସେମିନାରର ସଫଳତା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ ।

error: Content is protected !!