Tuesday, November 26, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିବରଗଡରେ ଜୟ କିସାନ ଆନ୍ଦୋଳନ ତରଫରୁ ପ୍ରତିବାଦ ସଭା ।

ବରଗଡରେ ଜୟ କିସାନ ଆନ୍ଦୋଳନ ତରଫରୁ ପ୍ରତିବାଦ ସଭା ।

ବରଗଡ-ସଂଯୁକ୍ତ କିସାନ ମୋର୍ଚ୍ଚା (ଭାରତ) ର ଆହ୍ୱାନ କ୍ରମେ ଆଜି ବରଗଡ଼ ଠାରେ ଜୟ କିସାନ ଆନ୍ଦୋଳନ ତରଫରୁ ଜିଲ୍ଲା ସ୍ତରୀୟ କୃଷକମାନଙ୍କର ପ୍ରତିବାଦ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କୁ ଛଅ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କେନ୍ଦ୍ରୀୟ ଦାବି ସହ ସ୍ଥାନୀୟ ଦାବିକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ଭୀଷଣ ଉତ୍ତେଜନା ପ୍ରକାଶ ପାଇଥିଲା। ସର୍ବଭାରତୀୟ ଦାବି ଏମ୍ .ଏସ୍ .ପି କୁ ଆଇନଗତ ମାନ୍ୟତା ପ୍ରଦାନ , ସ୍ଵାମିନାଥନ୍ କମିସନର ସୁପାରିଶ କ୍ରମେ ଉତ୍ପାଦନ ଖର୍ଚ୍ଚର ଦେଢଗୁଣ ମୂଲ୍ୟ ବୃଦ୍ଧି ( C 2 +50%), ଋଣ ଛାଡ ସହ ସ୍ଥାନୀୟ ଦାବି ବିଜୁଳି କ୍ଷେତ୍ରରେ ଘରୋଇ କରଣ ଉଚ୍ଛେଦ ଏବଂ ଧାନ ବିକ୍ରି ବ୍ଯବସ୍ଥା ଡିଏଲପିସି କୁ କ୍ଷମତା କରିବା ପାଇଁ ଦାବି କରାଯାଇଥିଲା।

ଟୋକନ ଓ ଏନାଲାଇଜର ମେସିନ କୁ ନେଇ ଚାଷୀମାନଙ୍କ ଭୀଷଣ କ୍ରୋଧ ଓ ଅସନ୍ତୋଷ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଗୋପାଳ ଗୋଶାଲାରୁ ହଜାର ହଜାର ମହିଳା ଓ ପୁରୁଷ ଚାଷୀଙ୍କ ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଗୋପାଳ ଗୋଶାଲାରୁ ବାହାରି ବିଭିନ୍ନ ଶ୍ଳୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ସଂଗଠନର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଂଗରାଜ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ସରକାର କରୋନା କଟକଣା ସମୟରେ ଏହାକୁ ଏକ ସୁଯୋଗ ଭାବି ତିନୋଟି କଳା ଆଇନ ଆଣିଥିଲେ।

ଏହି ତିନି ଆଇନକୁ ପ୍ରତ୍ଯହାର କରିବା ପାଇଁ ଚାଷୀମାନଙ୍କୁ ଦୀର୍ଘ ତେର ମାସ ଧରି ଆନ୍ଦୋଳନ କରିବାକୁ ପଡିଥିଲା ଏବଂ ଏହି କାଳଖଣ୍ଡରେ ପ୍ରାୟ ସାଢେ ସାତ ଶହ ଚାଷୀ ଶହୀଦ ହୋଇଯାଇଥିଲେ। ଏହି ତିନି ଆଇନକୁ ସରକାର ୧ ଡିସେମ୍ବର ୨୦୨୧ ରେ ପ୍ରତ୍ୟାହାର କରିଥିଲେ ଏବଂ ଏମ୍ .ଏସ୍ .ପି କୁ ଆଇନଗତ ମାନ୍ୟତା ଦେବା ଏବଂ ସ୍ଵାମିନାଥନ୍ କମିସନର ସୁପାରିଶ କ୍ରମେ ଉତ୍ପାଦନ ଖର୍ଚ୍ଚର ଦେଢଗୁଣ ମୂଲ୍ୟ ପ୍ରଦାନ କରିବା ପାଇଁ ଏକ କମିଟି ଗଠନ କରି ଏହାକୁ କାର୍ଯ୍ଯକାରୀ କରାଯିବ ବୋଲି କହିଥିଲେ। କିନ୍ତୁ ତିନି ବର୍ଷ ବିତିଯାଇଥିଲେ ସୁଦ୍ଧା ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି ସବୁ ଦାବିକୁ ନେଇ ପୁନର୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସଂଯୁକ୍ତ କିସାନ ମୋର୍ଚ୍ଚା ଦେଶ ବ୍ଯାପି ଆନ୍ଦୋଳନ ଡାକରା ଦିଆଯାଇଛି।

କିନ୍ତୁ ପଶ୍ଚିମ ଓଡିଶା ତଥା ଓଡିଶାର ଭାତ ହାଣ୍ଡି ବରଗଡ଼ ଧାନ ବିକ୍ରି ସମସ୍ୟା ଏବଂ ବିଜୁଳି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଧାନ ବିକ୍ରି ବ୍ଯବସ୍ଥାରେ ଟୋକନ ସମସ୍ୟା ଏବଂ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିକୁ ପୁର୍ବବତ କାର୍ଯ୍ଯକ୍ଷମ କରିବା ପାଇଁ ଲିଂଗରାଜ ଯୋର ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ଭଟଲି, ଅମ୍ବାଭୋନା, ବରଗଡ଼, ଅତାବିରା, ଭେଡେନ, ପଦ୍ମପୁର, ପାଇକମାଲ ,ଝାରବନ୍ଧ ବ୍ଲକରୁ ହଜାର ହଜାର ମହିଳା ପୁରୁଷ ଯୋଗଦେଇଥିଲେ। ଅନ୍ଯମାନଙ୍କ ମଧ୍ୟରେ ଜୟ କିସାନ ଆନ୍ଦୋଳନର ସାଧାରଣ ସଂପାଦକ ହର ବଣିଆଁ, ଶିବ ପ୍ରସାଦ ପ୍ରଧାନ, ମହେଶ୍ବର ପ୍ରଧାନ, ଅରୁଣ କୁମାର ସାହୁ, ଭଞ୍ଜନ ବାରିକ, ଅରୁଣ ପ୍ରଧାନ, ସୁରେନ୍ଦ୍ର ମେହେର,ମାନଭଂଜନ ପ୍ରଧାନ, ବିଶ୍ବନାଥ ରଣା, ରସବିହାରୀ ସାହୁ, କ୍ଷମାନିଧି ସାହୁ,ସରୋଜ ପଧାନ, ଚକ୍ରପାଣି ସାହୁ ବକ୍ତବ୍ଯ ପ୍ରଦାନ କରିଥିଲେ ।

error: Content is protected !!