
ବଘିଆପଡା(ଶ୍ରୀକାନ୍ତ ସାହୁ)-ବୌଦ୍ଧ ବ୍ଲକ ବଘିଆପଡା ଡାକ୍ତର ଖାନା କୌଣସି ଡାକ୍ତର କିମ୍ବା ଫାର୍ମାସିଷ୍ଟ ବଦଳରେ ବହୁମୁଖି ସ୍ବାସ୍ଥ୍ୟକର୍ମୀଙ୍କ ଭରସାରେ ରୋଗୀ ସେବା ଚାଲିଥିବା ଦେଖିବାକୁ ମିଳିଛି । ବହୁ ଦିନରୁ ଡାକ୍ତର ପଦବୀ ଖାଲି ଥିବା ବେଳେ ଜଣେ ଫାର୍ମାସିଷ୍ଟ ବହୁ ଦିନ ରୋଗୀ ସେବା ଯୋଗାଇ ଆସିଥିଲେ । ତାଙ୍କର ଅନ୍ୟତ୍ର ବଦଳି ହେବା ପରେ ଜଣେ ମହିଳା ବହୁମୁଖି ସ୍ବାସ୍ଥ୍ୟକର୍ମୀଙ୍କୁ ଦାୟିତ୍ବ ହସ୍ତାନ୍ତର କରି ରିଲିଫ ହୋଇଥିଲେ । ଅନଭିଜ୍ଞ ମହିଳା ସ୍ବାସ୍ଥ୍ୟକର୍ମୀ ଦାୟିତ୍ବ ରଖିଥିଲେ ମଧ୍ୟ ଚିକିତ୍ସାରେ ଅଭିଜ୍ଞତା ନଥିବା ଯୋଗୁଁ ସିଡ଼ିଏମଓ ଆଉ ଜଣେ ପୁରୁଷ ବହୁମୁଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ବଘିଆପଡା ଡାକ୍ତର ଖାନାକୁ ପଠାଇଥିଲେ ।

ଯିଏକି ନୂତନ ଭାବେ ଦୁଇ ମାସ ହେଲା ଚାକିରୀ ଆରମ୍ଭ କରିଛନ୍ତି । ଡାକ୍ତର ଖାନାରେ କୌଣସି ଔଷଧ ମଧ୍ୟ ନାହିଁ । ଫାର୍ମାଶିଷ୍ଟ ନଥିବା ହେତୁ ଆବଶ୍ୟକ ଔଷଧର ତାଲିକା ପ୍ରଦାନ କରାଯାଇ ପାରୁ ନଥିବା ସୂଚନା ମିଳିଛି । ଉକ୍ତ ଡାକ୍ତରଖାନା ଉପରେ ଛଅ ଗୋଟି ପଞ୍ଚାୟତର ରୋଗୀ ସହିତ ନବୋଦୟ ବିଦ୍ୟାଳୟ, ପଲିଟେକନିକ, ଆଇଟିଆଇ ଓ ମେଣ୍ଢ1ମାଳ ଆଶ୍ରମ ସ୍କୁଲ୍ ହଷ୍ଟେଲର ସହସ୍ରାଧିକ ଛାତ୍ର ଛାତ୍ରୀ ନିର୍ଭର କରିଥାନ୍ତି । ଦିନକୁ ପ୍ରାୟ ୧୦୦ ରୁ ଉର୍ଦ୍ଧ ରୋଗୀ ଆସୁଛନ୍ତି କିନ୍ତୁ ଔଷଧ କି ଡାକ୍ତର ନଥିବା ହେତୁ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି।

ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ଅଧିକାରୀ କର୍ମଚାରୀ ଅଭାବକୁ ଦାୟୀ କରୁଥିବା ବେଳେ ୩୦ ହଜାର ଲୋକଙ୍କ ଚିକିତ୍ସା ସେବା ବହୁମୁଖି ସ୍ବାସ୍ଥ୍ୟ କର୍ମୀଙ୍କ ଭରସାରେ ଛାଡି ଦେଇଥିବା ଦେଖିବାକୁ ମିଳିଛି । ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଅଧକ୍ଷ ଡଃ ଅନ୍ତର୍ଯ୍ୟାମୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଫାର୍ମସିସ ମାନଙ୍କର ପ୍ରମୋସନ୍ ହୋଇ ଅନ୍ୟତ୍ର ବଦଳି ହୋଇଯାଇଛି । ଆସନ୍ତା ଚାରି ରୁ ପାଞ୍ଚ ଦିନ ଭିତରେ ନୂତନ ଭାବେ ଯୋଗଦେଲେ ଏକ ଫାର୍ମାସିଷ୍ଟ ପଠାଇବୁ ବୋଲି ସୂଚନା ଦେଇଥିଲେ ।


