ପଦ୍ମପୁର – ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୀବ ଜଗତରେ ବିଭିନ୍ନ ପ୍ରକାରର ସମସ୍ଯା ସୃଷ୍ଟି ହେଉଥିବା ଦେଖା ଯାଉଛି । ବିଶ୍ବ ଉତ୍ତାପ ବୃଦ୍ଧି ପରି ସମସ୍ଯା ପାଇଁ ସାରା ବିଶ୍ବ ଆଜି ଚିନ୍ତିତ । ଏହିପରି ଏକ ସମୟରେ ପଦ୍ମପୁର ଅଞ୍ଚଳରେ ପ୍ରକୃତିର ସୁରକ୍ଷା ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବିଶିଷ୍ଟ ପରିବେଶବିତ ପ୍ରକୃତି ବନ୍ଧୁ ମୀନକେତନ ସାହୁ । ସେ ଅଞ୍ଚଳରେ ବନୀକରଣ, ବନ୍ଯ ପ୍ରାଣୀଙ୍କ ସୁରକ୍ଷା ତଥା ଜଙ୍ଗଲ ସୁରକ୍ଷା ପାଇଁ ଦୀର୍ଘ ବର୍ଷ ହେଲା ନୀରବଚ୍ଛିନ୍ନ ଭାବରେ କାମ କରି ଆସୁଛନ୍ତି । ତାଙ୍କ ଦ୍ବାରା ଆରମ୍ଭ ହୋଇଥିବା ସ୍ମୃତି ପାଇଁ ଗଛଟିଏ ଆଜି ଚର୍ଚ୍ଚାର ବିଷୟ ହେବା ସହ ତାଙ୍କ ପ୍ରେରଣାରେ ବହୁ ପରିବେଶ ପ୍ରେମୀ ଏହି କାର୍ଯ୍ୟକ୍ରମ ପାଇଁ ଆଗେଇ ଆସିଛନ୍ତି ।

ବର୍ତ୍ତମାନ ସେ ଅଞ୍ଚଳରେ ଏକ ନୂତନ କାର୍ଯ୍ୟକ୍ରମ ” ଶିଶୁଟିଏ ଗଛଟିଏ” ଓ “ବଞ୍ଚିବା ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଯାହାକି ଆଗାମୀ ସମୟରେ ବିସ୍ତାର କରିବାର ଯୋଜନା ରଖିଥିବା ଜଣାଯାଏ । ଏହି କାର୍ଯ୍ୟକ୍ରମ ଅନୁସାରେ ସେ ବିଭିନ୍ନ ଗ୍ରାମକୁ ଯାଇ ଉକ୍ତ ଗ୍ରାମର ନବ ଦମ୍ପତି, ଶିଶୁ ଥିବା ପରିବାର ଏବଂ ପରଲୋକ ଗମନ କରିଥିବା ଘରକୁ ଯାଇ ତାଙ୍କୁ ପରିବେଶ ସୁରକ୍ଷା ପାଇଁ ସଚେତନ କରିବା ସହ ସେହି ଗ୍ରାମରେ ଏକ ସଚେତନତା ସଭାର ଆୟୋଜନ କରିଥାନ୍ତି । ସେଠାରେ ଉପସ୍ଥିତ ପରିବେଶ ସୁରକ୍ଷା ପ୍ରତି ଆଗ୍ରହ କରିଥିବା ଜନ ସାଧାରଣଙ୍କୁ ଅଶୋକ, ବଉଳ ଓ ଅନ୍ଯାନ୍ଯ ଚାରା ପ୍ରଦାନ କରିଥାନ୍ତି ଏବଂ ସେ ଉକ୍ତ ଗ୍ରାମରେ ସମସ୍ତଙ୍କୁ ବୃକ୍ଷରୋପଣ ସହ ଏହାର ସୁରକ୍ଷା ପାଇଁ ନିବେଦନ କରିଥାନ୍ତି ।

ନିକଟରେ ଖେମେଡ୍ ଖାର ଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରି ନାଗେନ୍ ମାଲ, ଚାରପାଲି, ଆମ୍ ମୁଣ୍ଡା ଓ ବରିହାପାଲି ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ବହୁତ ଉତ୍ସାହର ସହ ଅଂଶଗ୍ରହଣ କରିବା ସହ ଅଞ୍ଚଳରେ ଏହାକୁ ବିପୁଳ ସମର୍ଥନ ଦେଖିବାକୁ ମିଲୁଛି । ଏଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପରିବେଶବିତ ମୀନକେତନ ସାହୁଙ୍କୁ ବିଭିନ୍ନ ଅନୁଷ୍ଠାନ ତଥା ବଦାନ୍ଯ ବ୍ଯକ୍ତି ସହଯୋଗର ହାତ ବଢାଇଛନ୍ତି । ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିବେଶ କର୍ମୀ ଓମପ୍ରକାଶ ଅଗ୍ରୱାଲ, ଭିତ୍ତିଭୂମି ସେବା ସଂଗଠନ, ପଦ୍ମପୁରର ସଦସ୍ଯ ଦାଶରଥି ବେହେରା, ବ୍ୟାସଦେବ ବାରିକ, ବେଦବ୍ଯାସ ମହାନନ୍ଦ ଓ ସଦସ୍ଯା ଝୁମି ମେହେର ପ୍ରମୁଖ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।



