Saturday, March 7, 2026
Homeରାଜ୍ୟଧାନ ବିକ୍ରି ପାଇ ଚାଷୀଙ୍କ ଧାରଣା : ଉପାଜ଼ିଲ୍ଲାପାଳଙ୍କ ବୁଝାସୁଝା ପରେ ହଟିଲା ଧାରଣା ।

ଧାନ ବିକ୍ରି ପାଇ ଚାଷୀଙ୍କ ଧାରଣା : ଉପାଜ଼ିଲ୍ଲାପାଳଙ୍କ ବୁଝାସୁଝା ପରେ ହଟିଲା ଧାରଣା ।

ପଦ୍ମପୁର-ଅଣ ଜଳସେଚିତ ଅଂଚଳରେ ଧାନ ଅମଳ ସଅଳ ହୋଇଥାଏ ଏଣୁ ଏହି ଅଂଚଳରେ ଚାଷୀ ମାନେ ଶୀଘ୍ର ଧାନ ବିକ୍ରି କରିଥାନ୍ତି। ମଣ୍ଡି ମଧ୍ୟ ଆଗୁଆ ଖୋଲିଥାଏ। ହେଲେ ଚଳିତ ଖରିଫ ଋତୁରେ ଚାଷ ଟା ଚାଷୀଙ୍କ ପାଇଁ ଅଭିଶାପ ହେଲା ଭଲି ମନେହେଉଛି । ଅକ୍ଟୋବର ମାସରୁ ଧାନ ଅମଳ ହୋଇ ଖୋଳା ଆକାଶ ତଳେ ପଡ଼ିରହିଛି। ଟୋକନ ନ ଥିବା କାରଣରୁ ଚାଷୀ ଧାନକୁ ଶୀତ କାକରରେ ଜଗିରହିଛି । ଯେଉଁ ମାନଙ୍କ ଟୋକନ ଆସିଛି ଏବଂ ମଣ୍ଡିରେ ଧାନ ପଡିଛି ହେଲେ ଟାର୍ଗେଟ ଆଳରେ ସେମାନଙ୍କର ଧାନ ବିକ୍ରି ହେଉନାହିଁ । ଧାନ ବିକ୍ରି କରି ପଇସା ପାଇଲେ କୁଳି ମଜୁରୀ, ଟ୍ରାକଟର ଭଡା, ସାର ମଞ୍ଜିର ଉଧାରୀ ସୁଝିବାକୁ ଅପେକ୍ଷା କରିଛି ଚାଷୀ, ହେଲେ ସରକାର ପ୍ରଶାସନ ସାଜିଛନ୍ତି ନିଦାବିଷ୍ଣୁ । ଧାନ କିଣା ବିକାର ଗୋଲକଧନ୍ଦାରେ ଚାଷୀ ସନ୍ଦିହାନ ହୋଇ ଧୈର୍ଯ୍ୟର ସୀମା କୁଲଲଙ୍ଘି ଚାଷୀ ମଣ୍ଡି ବଦଳରେ ପ୍ରଶାସନିକ ଅଧିକାରୀ ପାଖକୁ ଦୌଡୁଛି। ଆନ୍ଦୋଳନ ମୁହାଁ ଚାଷୀ ଆଜି ପଦ୍ମପୁର ଉପାଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଧାନ ପକାଇ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ ହେଲେ ପ୍ରଶାସନ ପୋଲିସ ଲଗାଇ ପଦ୍ମପୁର ସହରକୁ ଚାରିପଟୁ ଘେରାବନ୍ଦୀ କରି ପ୍ରତ୍ୟେକ ଲୋକଙ୍କୁ ଯାଞ୍ଚ କରୁଥିଲେ ଯେପରି ଗୋଟିଏ ବସ୍ତା ଧାନ ମଧ୍ୟ ସହରକୁ ପଶିବ ନାହିଁ।

ଯେଉଁ ଚାଷୀ ମାନେ ଧାନ ଧରି ଆସୁଥିଲେ ସେମାନଙ୍କୁ ଅଟକାଇ ଧାନ ଗାଡି,ମୋଟର ସାଇକିଲ ଗୁଡିକୁ ଫେରାଇ ଦେଇଥିଲେ। ଶେଷରେ ଚାଷୀ ମାନେ ଖାଲି ହାତରେ ଆସି ଉପାଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଲେ। ଧାରଣା ଚାଲିଥିବା ସମୟରେ ଉପାଜିଲ୍ଲାପାଳ ସ୍ନେହା ଆରୁଗୁଳା ଧାରଣା ସ୍ଥଳକୁ ଆସି ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଚାଷୀମାନେ ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଇବା ସହିତ ସମସ୍ତ ଚାଷୀଙ୍କ ଟୋକନ ଜାରି କରାଯାଉ ବୋଲି ଦାବୀ କରିଥିଲେ। ମଣ୍ଡିରେ ମିଲ ଏଜେଣ୍ଟ ମାନେ ଚାଷୀଙ୍କ ଧାନର ମାନ ନିର୍ଣ୍ଣୟ କରି ତିନି ରୁ ଚାରି କେଜି କଟଣି ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଥିଲେ । ଏହାକୁ ଚାଷୀ ମାନେ ପ୍ରତିବାଦ କରି ଆର୍.ଏମ୍.ସି କିମ୍ବା ସୋସାଇଟି କର୍ମଚାରୀ ମାନେ ନିର୍ଣ୍ଣୟ କରନ୍ତୁ ଏବଂ ମିଲର ମାନେ ହସ୍ତକ୍ଷେପ କରନ୍ତୁ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ।

ଚଳିତ ବର୍ଷ ବହୁତ ଚାଷୀଙ୍କ ଜମି ତୁଳନାରେ ଅତି କମ ଟୋକନ ଆସୁଥିବାରୁ ଉପାଜ଼ିଲ୍ଲାପାଳଙ୍କ ଅଫିସରେ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଳାଯାଉ ଓ କିପରି ଠିକ ମାତ୍ରାରେ ଟୋକନ ଆସିବ ତାହାର ବ୍ୟବସ୍ଥା କରାଯିବାକୁ ଦାବୀ କରିଥିଲେ। ସରକାର ବିଧାୟକ ମାନଙ୍କ ଦରମା ତିନି ଗୁଣା ବୃଦ୍ଧି କରିପାରିଲେ ଅଥଚ ଚାଷୀଙ୍କୁ ବର୍ଦ୍ଧିତ ୬୯ ଟଙ୍କା ଦେବାକୁ କୁଣ୍ଠାବୋଧ କରୁଛନ୍ତି ଏଣୁ ଚାଷୀଙ୍କୁ କଇଣ୍ଟାଲ ପିଛା ୩୧୬୯ ଟଙ୍କା ତୁରନ୍ତ ଦିଆଯାଉ ନଚେତ ବିଧାୟକ ମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ବିଲକୁ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବୀକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବାକୁ ଦାବୀ କରିଥିଲେ। ଉପାଜିଲ୍ଲାପାଳ ସମସ୍ତ ଦାବୀକୁ ଆଲୋଚନା କରି ଆସନ୍ତା ୨୦ ତାରିଖ ମଧ୍ଯରେ ବଞ୍ଚିତ ସମସ୍ତ ଚାଷୀଙ୍କ ଟୋକନ ଆସିବ ଓ ଟାର୍ଗେଟ ବୃଦ୍ଧିକରି ଶୀଘ୍ର ଧାନ ଲିଫଟିଙ୍ଗ ହେବ ଓ ମିଲର ମାନଙ୍କ ହସ୍ତକ୍ଷେପ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

ଆଲୋଚନା ପରେ ଚାଷୀ ମାନେ ୨୦ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଲେ । ଉପ-ଜିଲ୍ଲାପାଳଙ୍କ କହିବା ମୁତାବକ ଧାନ କିଣାର ସମାଧାନ ନ ହୁଏ ତେବେ ୨୧ ତାରିଖ ସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ସ୍କୁଲ କଲେଜ, ବ୍ୟାଙ୍କ ସବୁ ଅଚଳ କରାଯିବ ବୋଲି ସଭାରେ ଘୋଷଣା କରିଥିଲେ। ଆଲୋଚନାରେ ରାଜବୋରାସମ୍ବର କୃଷକ ସଂଗଠନର ଆଇନ ପରାମର୍ଶଦାତା ଅଜିତ ଶତପଥି, ଆବାହକ ଅଶୋକ ସାହୁ, ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ସଦସ୍ୟ ରମେଶ ମହାପାତ୍ର ଉପସ୍ଥିତ ଥିବା ବେଳେ ଧାରଣରେ ପଦ୍ମପୁର ବ୍ଲକ ସଭାପତି ପଞ୍ଚାନନ ସାହୁ, ଉପ ସଭାପତି ସୁବାଷ ସାମନ୍ତରାୟ,ଗାଇସିଲଟ ସଂଗଠନ ସଭାପତି ଅରବିନ୍ଦ ପଣ୍ଡା, ସରୋଜ ସାହୁ,ପାଇକମାଳ ବ୍ଲକରୁ ଅରକ୍ଷିତ ପଧାନ,ପଦ୍ମପୁର ଏନ.ଏ.ସିରୁ କାହ୍ନୁଚରଣ ମେହେର, ରୁକ୍ମଣ ବରିହା, ଜଳେଶ ରଣା, ନିରାକାର ସାହୁ, ବିଜୟ ସାହୁ, କେନ୍ଦୁମୁଣ୍ଡା ଗୌନ୍ତିଆ, ରୋହିତ ପ୍ରଧାନ, ଅଶୋକ ଦାନୀଙ୍କ ସମେତ ଝାରବନ୍ଧ ବ୍ଲକରୁ ଜୟପତି ଭୋଇ, ଚିତ୍ତରଞ୍ଜନ ପଟେଲଙ୍କ ସମେତ ଶହ ଶହ ଚାଷୀ ଉପସ୍ଥିତ ଥିଲେ।

error: Content is protected !!