
ବରଗଡ-ବରଗଡ ଜିଲ୍ଲା ଅତାବିରା ଏନ୍ଏସି ରେଂଗାଲିକେମ୍ପର ସ୍ବର୍ଗତ ଭକ୍ତ ଚରଣ ପଣ୍ଡାଙ୍କ ପତ୍ନୀ ଭୂମିସୂତା ପଣ୍ଡାଙ୍କ ୭୭ ବର୍ଷ ବୟସ୍କରେ ସୋମବାର ଅପରାହ୍ନରେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ସମସ୍ୟା କାରଣରୁ ନଅ ଦିନ ଧରି ହସ୍ପିଟାଲରେ ରଖିବା ପରେ ଘରକୁ ଆଣିଥିଲେ। ପୁଣି ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଭର୍ତ୍ତି କରାଯାଇଥିଲା। ସୋମବାର ସଂଧ୍ୟା ପ୍ରାୟ ୭ଟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ପରେ ସେ ତାଙ୍କ ପଛରେ ତିନି ପୁଅ ହରିନାରାୟଣ, ସତ୍ୟନାରାୟଣ, ରବି ନାରାୟଣ, ଦୁଇ ଝିଅ ସୁଷମା, ସୁରମା , ନାତି ନାତୁଣୀ ତଥା ପରିବାର ବର୍ଗଙ୍କୁ ଛାଡ଼ି ଯାଇଛନ୍ତି।

ହରିନାରାୟଣ ସମ୍ବଲପୁର ବୁଢ଼ାରଜା ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟ କରି ଚାକିରୀରୁ ଅବସର ଗ୍ରହଣ କରିଥିବା ସହ ସମ୍ବଲପୁର ଶିକ୍ଷକ ସଂଘ ଓଷ୍ଟାର ଜିଲ୍ଲା ସଂପାଦକ ଭାବେ ବହୁ ବର୍ଷ ଧରି ରହିଥିଲେ। ସେ ମଧ୍ୟ ଜଣେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ଦ୍ବିତୀୟ ପୁତ୍ର ସତ୍ୟନାରାୟଣ ବ୍ୟବସାୟ କରୁଥିବା ବେଳେ କନିଷ୍ଠ ପୁତ୍ର ରବିନାରାୟଣ ସମ୍ବାଦିକତା, ଓକିଲାତି କରିବା ସହ ଜର୍ଣ୍ଣାଲିଷ୍ଟା ଏସୋସିଏସନ୍ ଅଫ୍ ବରଗଡ଼ର ସଭାପତି, ଓସିଏ ସଦସ୍ୟ, ଫୁଟବଲ ଏସୋସିଏସନ୍ ଅଫ ଓଡ଼ିଶାର ଉପ ସଭାପତି ,ତିହାର ଲୋକ ମହୋତ୍ସବ ସମିତିର ଆବାହକ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ଜଡ଼ିତ ଅଛନ୍ତି। ତାଙ୍କ ବିୟୋଗରେ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଶୋକ ପ୍ରକାଶ କରିଛନ୍ତି। ମଙ୍ଗଳବାର ସକାଳେ ଅତାବିରା ସ୍ବର୍ଗ ଦ୍ବାରରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।



