
ବରଗଡ– ଡିସେମ୍ବର ୨୪ ତାରିଖରୁ ୭୮ ତମ ବିଶ୍ୱପ୍ରସିଦ୍ଧ ସର୍ବବୃହତ ମୁକ୍ତକାଶ ରଙ୍ଗମଞ୍ଚ ବରଗଡ ଯନୁଯାତ୍ରା ଆରମ୍ଭ ହେବ । ଏହି ଅବସରରେ ବରଗଡ ସହର ପାଲଟି ଯିବ ମଥୁରା ନଗରୀ । ମଥୁରା ନଗରୀରେ ଦଶ ଦିନ ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ରାଜୁତି ଚାଲିବ । ଏହି ଯାତ୍ରା ଅବସରରେ ମଥୁରା ନଗରୀକୁ ବରଗଡ ସହର,ଆଖପାଖ ଅଞ୍ଚଳ ତଥା ରାଜ୍ୟ ବାହାରୁ ମଧ୍ୟ ଜନସମାଗମ ହେବେ । ଏହି ଅବସରରେ ମଥୁରା ନଗରୀର ମହିଳା ମାନଙ୍କ ସମ୍ମାନ ରକ୍ଷା ସହ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ବରଗଡ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମୌସୁମୀ ସାହୁଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧିଦଳ ବରଗଡ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବରେ ଅନୁରୋଧ କରିଛନ୍ତି ।

ବରଗଡର ବିଭିନ୍ନ ଛକ ତଥା ଜନଗହଲିପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଇବା, ନିଶାଶକ୍ତ ଯୁବତ ତଥା ଅସାମାଜିକ ଯୁବକ ମାନଙ୍କୁ କାବୁ କରିବା, କୁଚିଆ ଭାଟି ବନ୍ଦ କରିବା ତଥା ଅନ୍ୟାନ୍ୟ ନିଶାଦ୍ରବ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ କରିଛନ୍ତି । ବିଶେଷତଃ ମୋବାଇଲ ଓ ସୁନାଗହଣା ଚୋରୀ ଉପରେ ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ଯରେ ସୁନିତା ବାଗ,ନିଲିମା ଅଗ୍ରୱାଲ, ଭାବନା ବେସ୍ରା, ଜିଲ୍ଲା ଯୁବ ସଭାପତି ଅମିତ ଆଚାର୍ଯ୍ଯ, ସୁଧିର ଜେନା,ମୁନୁ କର,ପିକୁନ ନାଏକ, ସଞ୍ଜୟ ବଗର୍ତ୍ତି ତଥା ଅନେକ କଂଗ୍ରେସ କର୍ମୀ ସାମିଲ ଥିଲେ ।



