ପଦ୍ମପୁର- ବିଭିନ୍ନ ଗଣମାଧ୍ୟମରୁ ଖବର ପାଇ ବୁବୁଡ଼ାର ସିରି ସମଲେଇ ପଣ୍ଡରା ଯୁବକ ସଂଘର କିଛି ସଦସ୍ୟ ଚାଉଲ, ଡାଲି, ତେଲ, ଲୁଣ ଭଲି କିଛି ରାସନ୍ ସାମଗ୍ରୀ ଧରି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପହଞ୍ଚିଥିଲେ ଦାଦନ ଶ୍ରମିକ ଦୁଆରୁ ବରିହାଙ୍କ ରାଜବୋଡ଼ାସମ୍ବର ବ୍ଲକ୍ ଦହିଗାଁ ଗ୍ରାମପଞ୍ଚାୟତ ଦହିଗାଁ କଲୋନୀ ପଡ଼ା ଠାରେ। ଯାହା ସ୍ଥାନୀୟ ପଡୋଶୀଙ୍କୁ ପଚାରି ବୁଝିଲେ ଜଣାଯାଏ ଦୁଆରୁ ବରିହା (୩୮) ଜଣେ ଦିନ ମଜୁରୀଆ। ଆଖପାଖ ଗାଁରେ ମଜୁରିଆ ଭାବେ କାମ କରି ସ୍ତ୍ରୀ ଲକ୍ଷ୍ମୀ ବରିହାଙ୍କ ସହିତ ଦିନ କାଟୁଥିଲେ। ଆଜକୁ ପ୍ରାୟ ବର୍ଷେ ହେବ ଗାଁ ଆଖପାଖରେ କାମ ନ ମିଲିବାରୁ ଅନ୍ୟରାଜ୍ୟକୁ କାମ ପାଇଁ ଯାଇଥିଲେ ଦାଦନ ଶ୍ରମିକ ଭାବରେ।
ସେଠାରେ କିଛି ଦିନ କାମ କଲାପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଧିରେ ଧିରେ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଆହୁରି ଖରାପ ହେବା କାରଣରୁ ସେଠାକାର ମାଲିକକୁ କହି ସ୍ତ୍ରୀ ଲକ୍ଷ୍ମୀ ବରିହା ତାଙ୍କ ଦହିଗାଁ କଲୋନୀ ପଡ଼ା ନିଜ ଘରକୁ ଫେରି ଆସିଥିଲେ। ପ୍ରଥମେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା ଚିକିସା ପାଇଁ। ଦେହ ଭଲ ନ ହେବାରୁ ପରେ ବରଗଡ଼, ବରଗଡ଼ରୁ ବୁର୍ଲା, ବୁର୍ଲା ରୁ ପୁଣି ବରଗଡ଼ର ଏକ ଘରୋଇ ହସ୍ପିଟାଲ୍ରେ ଦେଖାଇଥିଲେ । ସେଠାରେ ପରୀକ୍ଷା ନିରୀକ୍ଷା କଲା ପରେ ଜଣାପଡ଼ିଲା ତାଙ୍କୁ ବ୍ରେନ୍ ଟ୍ୟୁମର୍ ଅଛି। ପ୍ରାଥମିକ ଚିକିସା ଭାବରେ ବିଜୁ ସ୍ବାସ୍ଥ୍ୟ କାର୍ଡ଼ର ସହାୟତାରେ ସାମାନ୍ୟ କିଛି ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଏଠାରେ ଅପରେସନ୍ ର ସୁବିଧା ନାହିଁ କଟକ କିମ୍ବା ଭୁବନେଶ୍ବରକୁ ନେବାକୁ ହେବ ବୋଲି କହି ତାଙ୍କୁ ସ୍ଥାନାନ୍ତରିତ କରିଦେଇଛନ୍ତି ।
ବର୍ତ୍ତମାନ ୪/୫ ମାସ ହେବ ଦୁଆରୁ ବରିହା ଶଯ୍ୟାଶାୟୀ ଅଛନ୍ତି। ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଆହୁରି ବିଗିଡ଼ିବାରେ ଲାଗିଛି। ଏବେ ସେ କଥାବାର୍ତ୍ତା ମଧ୍ୟ କରିପାରୁ ନାହାନ୍ତି, ଆଖିକୁ ଆଉ ଦେଖାଯାଉ ନାହିଁ। ତାଙ୍କ ପରିବାର କହିଲେ ଉଭୟେ ସ୍ବାମୀ ସ୍ତ୍ରୀ ଅଛନ୍ତି । ବନ୍ଧୁବାନ୍ଧବ ମଧ୍ୟ କେହିନାହାନ୍ତି ତାଙ୍କ କଥା ବୁଝିବାକୁ କି ଡାକ୍ତରଖାନାକୁ ଯିବା ଆସିବା କରିବା ପାଇଁ। ସ୍ତ୍ରୀ ଜଣକ ରୋଗୀଣା ସ୍ବାମୀକୁ ଛାଡ଼ି କୁଆଡ଼େ ଯାଇପାରୁନାହାନ୍ତି। ଘରେ ଖାଇବା ପାଇଁ କିଛି ନାହିଁ। ଯାହା କିଛି ଥିଲା ଡାକ୍ତରଖାନା ନେବା ଆଣିବାରେ ଓ ୪/୫ ମାସ ହେବ ଶଯ୍ୟାଶାୟୀ ସ୍ବାମୀକୁ ଛାଡ଼ି କୁଆଡ଼େ ଯାଇପାରୁନାହାନ୍ତି ଖାଇବା ପାଇଁ ଘରେ କିଛି ନାହିଁ ଏମିତି କି ରୋଗୀର ଔଷଧ ପାଇଁ ମଧ୍ୟ ଔଷଧ ଟିକିଏ ନାହିଁ ।
ଅନ୍ୟର ସହାୟତାକୁ ଅନେଇ ବସିଛନ୍ତି କିଛି ସାହାଯ୍ଯ ଓ ସହଯୋଗ ପାଇଁ। କାହାଠାରୁ କିଛି ମାଗି କିମ୍ବା ସାହି ପଡ଼ୋଶା କିଛି ଦେଲେ ଘରେ ରୋଷେଇ ବାସ ହେଉଛି ନ ହେଲେ ନାହିଁ। ଏମିତି ଦୁଖ ଆଉ ଯନ୍ତ୍ରଣା ଦିନ କାଟୁଛନ୍ତି ଅସହାୟ ପରିବାର। ସବୁଠାରୁ ଦୁଖର ବିଷୟ ହେଲା ୪୫° ଖରାରେ ଯେତେବେଳେ ଲୋକଙ୍କ ଘରେ ପଙ୍ଖା, କୁଲର କିମ୍ବା ଏ ସି ଥାଇ ମଧ୍ୟ ଡହକ ବିକଲ ହେଉଛନ୍ତି ଏମିତି ସମୟରେ ଦୁଆରୁ ବରିହା ଶଯ୍ୟାଶାୟୀ ବୋଲି ପଙ୍ଖା କି କୁଲର କଥା ଛାଡ଼ନ୍ତୁ ତାଙ୍କ ଘରେ ଲାଇନ୍ ନାହିଁ। ଲାଇନ୍ କାଟି ଦିଆଯାଇଛି । ଖାଇବା ପାଇଁ ଘରେ ରାସନ୍ ନାହିଁ। ଜାତୀୟ ଖାଉଟି କଲ୍ୟାଣ ଯୋଜନାରେ ତାଙ୍କ କାର୍ଡ଼ର ଚାଉଲ ମଧ୍ୟ ପାଇ ପାରୁନାହାନ୍ତି। କେମିତି ଦୁଖରେ ତାଙ୍କ ଜୀବନ କଟୁଛି ଥରେ ଚିନ୍ତା କରନ୍ତୁ ତ । ଏମିତି ବି ଦୁଖ ସହ୍ୟ କରୁଛନ୍ତି ଲୋକେ।