ବରଗଡ-ଆଲୋକର ପର୍ବ ଦୀପାବଳି ସାରା ଦେଶରେ ବେଶ ଉତ୍ସାହ ଉଦ୍ଦୀପନା ସହ ପାଳନ ହେଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ଭୁଲିଆ ସମାଜର ଏକ ଭିନ୍ନ ଓ ନିଆରା ପରମ୍ପରା ରହିଛି । ଦୀପାବଳି ରେ ମାଁ ଲକ୍ଷ୍ମୀ ଙ୍କ ପୂଜା ସହ ମଙ୍ଗା ଶାଳରେ ମଧ୍ୟ ପୂଜା କରିଥାନ୍ତି । ପୂଜାରେ ବ୍ୟବହାର ହେଉଥିବା ଦୀପ ଠୁ ଭୋଗ ପର୍ଯ୍ୟନ୍ତ ସବୁ ଚାଉଳ ଚୁନା ରେ ପ୍ରସ୍ତୁତ ହୋଇଥାଏ । ଭୋଗ ପାଇଁ ମଣ୍ଡା , ଠେଁର୍ରା ,ଗୁଲଠୁ ଆଦି ଭୋଗ ପାରମ୍ପାରିକ ଢଙ୍ଗରେ ସିଝାଜାଇ ତିଆରି କରାଯାଇଥାଏ ।ପୂଜା ସରିବା ପରେ ସମସ୍ତେ ଚାଉଳ ଚୁନାରେ ତିଆରି ମଶାଲ କୁ ଜାଳି ଏକ ଶୋଭାଯାତ୍ରାରେ ବାହାରି ଥାଆନ୍ତି ।
ଏହି ଶୋଭାଯାତ୍ରା କୁ କୁହାଯାଏ ” ରଜା ବାହାବେଲ୍” ଏହି ପରମ୍ପରା ପଛରେ ରହିଛି ଅନେକ କିମ୍ବଦନ୍ତୀ । କିମ୍ବଦନ୍ତୀ ଅନୁସାରେ ଦୀପାବଳୀ ଦିନ ବାନବାସ ରୁ ପୁରୁଷୋତ୍ତମ ଶ୍ରୀରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ,ଏହି ଅବସରରେ ଅଯୋଧ୍ୟାର ପ୍ରଜାଗଣ ଭଗବାନ ଶ୍ରୀରାମଙ୍କ ଆଗମନରେ ଦୀପଜାଳି ତାଙ୍କୁ ସ୍ବାଗତ କରିଥିଲେ। ଭୁଲିଆ ସମାଜର ଲୋକେ ମଧ୍ୟ ନିଜ ରାଜାଙ୍କ ସ୍ବାଗତ ପାଇଁ ମଶାଲ ଜାଳି ଶୋଭାଯାତ୍ରାରେ ବାହାରି ଥିଲେ । ଅଯୋଧ୍ୟାର ଘରେ ଘରେ ପୁରେ ପୁରେ ଲକ୍ଷ ଲକ୍ଷ ଦୀପ ଜାଳି ରାଜାଙ୍କ ସ୍ବାଗତ କରାଗଲା ।
ମାଟିଦୀପ କମ ପଡ଼ିବାରୁ ଭୁଲିଆ ସମାଜର ଲୋକେ ଚାଉଳ ଚୂନା କୁ ସିଝାଇ ତାର ଦୀପ ଏବଂ ମଶାଲ ପ୍ରସ୍ତୁତ କରିଥିଲେ ।ସେହି ପରମ୍ପରାକୁ ଆଜି ଯାଏଁ ବଜାୟ ରଖି ସବୁବର୍ଷ ଦୀପାବଳୀ ରେ ଏହି ସମାଜର ଲୋକେ ଭଗବାନ ଶ୍ରୀରାମଙ୍କୁ ସ୍ବାଗତ କରିଥାନ୍ତି ।ଭୁଲିଆ ସମାଜର ଲୋକେ ମୂଳତଃ ବର୍ତ୍ତମାନର ବନାରସ ର ମୂଳବସିନ୍ଦା ବୋଲି ଇତିହାସକାର ମାନେ ମତ ଦିଅନ୍ତି। ଆଜିର ବନାରସ ସେ ସମୟରେ ଅଯୋଧ୍ୟା ରାଜ୍ୟର ଅଂଶ ଥିବା କୁହାଯାଏ ।ବନାରସ ରୁ ବସ୍ତର ରାଜ୍ୟ(ବର୍ତ୍ତମାନ ର ଛତିଶଗଡ଼ ) କୁ ଆସିଥିଲେ ।୧୫୪୯ ରେ ପାଟଣା ରାଜ୍ୟର ରାଜା ହେଲେ ନରସିଂହ ଦେବ । ସେତେବେଳେ ପାଟଣା ରାଜ୍ୟ ବିଜୟନଗରମ ସାମ୍ରାଜ୍ୟର ଅଧିନରେ ଥିଲା ।
ବିଜୟନଗରମ ରାଜାଙ୍କ ଅକାଳ ବିୟୋଗ ପରେ ନରସିଂହ ଦେବ ପାଟଣା ରାଜ୍ୟକୁ ସ୍ଵତନ୍ତ୍ର ଘୋଷଣା କରିଥିଲେ। ରାଜ୍ୟ ବିସ୍ତାର ପାଇଁ ନରସିଂହ ଦେବ ଙ୍କ ଆଦେଶ କ୍ରମେ ବଳରାମ ଦେବ ବସ୍ତର ରାଜ୍ୟକୁ ଆକ୍ରମଣ କରି ନିଜ ଅକ୍ତିଆର ରେ ନେଇଥିଲେ ।ବସ୍ତର ରାଜ୍ୟରେ ରହୁଥିବା ଭୁଲିଆ ମାନଙ୍କୁ ସେଠାରୁ ପାଟଣା ରାଜ୍ୟକୁ ଅଣାଯାଇଥିବା ଅନେକ ଇତିହାସକାର ମତ ପ୍ରକାଶ କରନ୍ତି।ଏହି ପରିପେକ୍ଷିରେ ପଡ଼ା ଗ୍ରାମରେ ଐତିହାସିକ ପରମ୍ପରାକୁ ବଜାୟ ରଖି ମଶାଲ ଶୋଭାଯାତ୍ରାରେ ଅନେକ ଭୁଲିଆ ଭାଇ ସାମିଲ ହେଇଥିଲେ ” ରଜା ବାହାବେ ହୋ ରଜା ବାହାବେ , ସାଏଲତା ଲିଭଲେ ବଏଠା ଖାବେ ହୋ ରଜା ବାହାବେ” ନରା ରେ କମ୍ପିଉଠିଥିଲା । “ରଜା ବହାବେ ” ଅର୍ଥ ଅବଧି ଭାଷାରେ ରାଜା ଫେରିବେ । ସମୟାନୁ କ୍ରମେ ଶବ୍ଦର ଅପଭ୍ରଂଶ ହୋଇ ରଜା ବାହାବେଲ ହୋଇଛି ।