Saturday, March 7, 2026
Homeଅଘଟଣଜଙ୍ଗଲରୁ ଗଳିତ ମୃତ ଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି ।

ଜଙ୍ଗଲରୁ ଗଳିତ ମୃତ ଦେହ ଉଦ୍ଧାର : ପୋଲିସର ତଦନ୍ତ ଜାରି ।

କୁଚିଣ୍ଡା(ତପନ ଦାଶ )-ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ବାଙ୍କେ ଗ୍ରାମର ପୋଢପେଟା ନଦୀ ନିକଟସ୍ଥ ବଣ୍ଡରେଇ ଦୋସାଙ୍କଲି ଜଙ୍ଗଲରୁ ପୋଲିସ ଜଣଙ୍କ ଝୁଲନ୍ତା ଗଳିତ ମୃତ ଦେହ ଉଦ୍ଧାର କରିଛି। ମୃତକ ଜଣକ ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ନକ୍ସାପାଲି ଗ୍ରାମର ୪୫ ବର୍ଷିୟ ଗିରିଧାରି ଜଗତ।ଖବରପାଇ ଶନିବାର ମହୁଲପାଲି ପୋଲିସ ଗାମୁଛାରେ ଗିରିଧାରୀଙ୍କ ଝୁଲନ୍ତା ମୃତ ଦେହକୁ ଏକ ଗଛରୁ ଉଦ୍ଧାର କରି ବ୍ୟବଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ପଠାଇଛି।

ଏନେଇ ପୋଲିସ ଥାନାରେ ଏକ ଅପମୃତ୍ଯୁ (ନଂ.୩୧/୨୪) ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ ମୃତ ଗିରିଧାରୀ ଗତ ସେପ୍ଟେମ୍ବର ୨୪ତାରିଖରେ ବାଙ୍କେ ଗ୍ରାମରେ ବିବାହ କରିଥିବା ତାଙ୍କ ବଡ ଭଉଣୀ ବିଳାସିନୀ ମାଝି (ସ୍ୱାମୀ-ସ୍ୱର୍ଗତ ବିନୋଦ ମାଝି) ଘରକୁ ଆସିଥିଲେ।୨୨ତାରିଖ ଅପରାହ୍ନରେ ସେ ଶୌଚପାଇଁ ପୋଢପେଟା ନଦୀ ପଟକୁ ଯାଇ ଆଉ ଘରକୁ ଫେରିନଥିଲେ।

ଭାଇ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବା ଦେଖି ଭଉଣୀ ବ୍ୟସ୍ତ ବିବ୍ରତ ହୋଇ ପଡୋଶୀଙ୍କ ସହ ଖୋଜାଖୋଜି କରିଥିଲେ। ଏଭଳି ଦୁଇଦିନ ଖୋଜିବା ପରେ ଭାଇଙ୍କ କୌଣସି ସନ୍ଧାନ ନପାଇ ଶେଷରେ ୨୩ ତାରିଖରେ ମହୁଲପାଲି ଥାନାରେ ଏକ ରିପୋର୍ଟ କରିଥିଲେ।ମହୁଲପାଲି ପୋଲିସ ଥାନାରେ (କେଶନଂ.୧୩/୨୪) ଏକ ନିଖୋଜ ମାମଲା ରୁଜୁ କରିଥିଲା।

ଶୁକ୍ରବାର ବାଙ୍କେ ଗ୍ରାମର କେତେକ ବ୍ୟକ୍ତି ବଣ୍ଡରେଇ ଜଙ୍ଗଲକୁ ଯାଇଥିବା ସମୟରେ ଦୁର୍ଗନ୍ଧ ହେବାରୁ ଗଛ ଉପରେ ଗାମୁଛାରେ ଏକ ମୃତ ଦେହ ଝୁଲୁଥିବା ଦେଖି ଗାଁରେ ଖବର ଦେଇଥିଲେ।ବିଳାସିନୀ ଘଟଣାସ୍ଥଳକୁ ଯାଇ ଏହା ତାଙ୍କ ଭାଇଙ୍କ ମୃତ ଦେହ ବୋଲି ଚିହ୍ନି ପାରି ମହୁଲପାଲି ପୋଲିସକୁ ସୂଚନା ଦେଇଥିଲେ।ଶନିବାର ପୋଲିସ ଗିରିଧାରିଙ୍କ ପରିବାର ଲୋକ ଆସିବା ପରେ ଝୁଲନ୍ତା ଗଳିତ ମୃତ ଦେହକୁ ଗଛରୁ ଓହ୍ଲାଇ ଜବତ କରିଥିଲା।

ମୃତ ଗିରିଧାରି ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ପୋଲିସ କହୁଥିବା ବେଳେ ଯଦି ସେ କୌଣସି କାରଣରୁ ଆତ୍ମହତ୍ୟା କରିବାର ଥିଲା ତେବେ ଭେଡେନ ନଦୀ ନିକଟ ପାହାଡ ମଝିରେ ଥିବା ବଣ୍ଡରେଇ ଦୋସାଙ୍କଲି ନିର୍ଜନ ଜଙ୍ଗଲକୁ କେଉଁ ପରିସ୍ଥିତିରେ ଗଲେ ବୋଲି ଆଲୋଚନା ହେଉଛି।

ମୃତ ଦେହଟି ପଚିଶଢି ଦୁର୍ଗନ୍ଧ ହେଉଥିଲା ବେଳେ ବାସ୍ତବରେ ଏହା ହତ୍ୟା ନା ଆତ୍ମହତ୍ୟା ବ୍ୟବଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ମହୁଲପାଲି ଥାନା ଅଧିକାରୀ ସୁମିତ ଫିରୋଜ ଏକ୍କା କହିଛନ୍ତି ।

error: Content is protected !!