ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ମରୁଡି ପ୍ରପୀଡ଼ିତ ଅଞ୍ଚଳର ଚାଷୀ ମାନଙ୍କ ଆୟ ବୃଦ୍ଧିରେ ମାଣ୍ଡିଆ ଚାଷ ସହାୟକ ହୋଇ ଥିବା ନଜରକୁ ଆସିଛି l ବିଗତ ୬ ବର୍ଷ ହେଲାଣି ଏହି ବ୍ଲକ ରେ ଓଡିଶା ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକାରୀ ହୋଇ ଆସୁଅଛି l ଏଥିରେ କୃଷି ବିଭାଗ ସହିତ ଦେବଦତ୍ତ କ୍ଲବ ଯୋଡି ହୋଇ ଉକ୍ତ କାର୍ଯ୍ୟକ୍ରମ କୁ କାର୍ଯ୍ୟକାରୀ କରୁଛି l କମ ଦିନରେ ଏବଂ ଅଳ୍ପ ପାଣିରେ ଅଧିକ ଉତ୍ପାଦନ ଓ ବିକ୍ରୟର ସୁବ୍ୟବସ୍ଥା ସହିତ ପ୍ରୋତ୍ସାହନ ରାଶି ଓ ଅଳ୍ପ ଖର୍ଚରେ ମାଣ୍ଡିଆ ଚାଷ ହେଉ ଥିବାରୁ ଧୀରେ ଧୀରେ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଛି l

ଗତ ଖରିଫ ଋତୁରେ ଗାଇସିଲେଟ ବ୍ଲକରେ ୧୦୪୨ ଜଣ ଚାଷୀ ୪୪୦ ହେକ୍ଟର ମାଣ୍ଡିଆ ଚାଷ କରିଥିଲେ ଓ ଉତ୍ପାଦିତ ମାଣ୍ଡିଆକୁ ବୁଢ଼ାସମ୍ବର ଡାଲି ଓ ପନିପରିବା ଉତ୍ପାଦକ କମ୍ପାନୀ ମାଧ୍ୟମରେ ଟି.ଡି.ସି.ସିଙ୍କୁ ବିଭିନ୍ନ ମଣ୍ଡିରେ ସର୍ବ ନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୪୫୦୦ ଟଙ୍କାରେ ୪୦୦୦ କ୍ୱିଣ୍ଟାଲ ମାଣ୍ଡିଆ ବିକ୍ରୟ କରିଥିଲେ l ଏହା ସହ ସରକାରଙ୍କ ପ୍ରୋତ୍ସାହନ ରାଶି ସମସ୍ତ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ସିଧାସଳଖ ଆସୁଥିବାରୁ ଚାଷୀ ମାନେ ଅଧିକରୁ ଅଧିକ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି l

ଦେବଦତ୍ତ କ୍ଲବ ଲୋକଙ୍କ ସହ ମିଶି ଚାଷୀ ମାନଙ୍କୁ ମାଣ୍ଡିଆ ଚାଷ ଓ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ପ୍ରତିଦିନ ଖାଇବା ପାଇଁ ବିଭିନ୍ନ ପ୍ରକାର ସଚେତନ କାର୍ଯ୍ୟକ୍ରମ କରୁଥିବା ବେଳେ ପୃଷ୍ଟିଯୁକ୍ତ ଖାଦ୍ୟର ଉପାଦେୟତାକୁ ଆଖି ଆଗରେ ରଖି ବିଭିନ୍ନ ସମୟରେ ଖାଦ୍ୟ ମେଳାର ଆୟୋଜନ କରି ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ଯାହା ଫଳରେ ଲୋକମାନେ ମାଣ୍ଡିଆରେ ପ୍ରସ୍ତୁତ ଖିରି,ଇଟିଲି, ବଡା,ଲସି,ମିଠା, ପୋଡପିଠା,ପକୁଡ଼ି ପ୍ରତି ଲୋକଙ୍କ ଖୁବ୍ ପସନ୍ଦ ହୋଇ ପାରିଛି । ତେବେ ଚାଷୀମାନେ ସଚେତନତାର ସହ ଜୈବିକ ଚାଷର ଖାଦ୍ୟ ଖାଇବାକୁ ଆଗ୍ରହର ସହ ଉକ୍ତ ଚାଷକୁ ଆପଣାଉଛନ୍ତି l

ଦେବଦତ୍ତ କ୍ଲବ ଓ କୃଷି ବିଭାଗର ସହାୟତରେ ତଳି ଶଯ୍ୟାରୁ ଆରମ୍ଭ କରି ଉତ୍ପାଦନ ଓ ମଣ୍ଡିରେ ବିକ୍ରୟ ପର୍ଯ୍ୟନ୍ତ ଚାଷୀଙ୍କୁ ସହଯୋଗ କରୁଥିବାରୁ ଲୁପ୍ତ ହେବାକୁ ଯାଉଥିବା ମାଣ୍ଡିଆ ଚାଷ ପୁନଃରୁଦ୍ଧାର ହେବାରେ ଲାଗିଛି ଓ ଚାଷୀ ଙ୍କ ମୁହଁରେ ହସ ଫୁଟିଛି l ତେବେ ବିଗତ ଦିନରେ ଗାଇସିଲେଟ ଅଞ୍ଚଳର ସାନସାହାଜବାହାଲ ଗ୍ରାମର ଚିଦାନନ୍ଦ ପଧାନ ଓ ଭଗବାନ ସାହୁ, କନ୍ଦାଗାଡ ଗ୍ରାମର ସୌଭାଗ୍ୟ ବେହେରା,ବ୍ରାହ୍ମଣମାଲ ଗ୍ରାମର ମାନଭଞ୍ଜନ ପଧାନ ଓ ସିଂହାସନ ଲୁହାର କ୍ଷୁଦ୍ର ଦାନା ଶସ୍ୟ ଚାଷ କରି ସଫଳ ଚାଷୀ ଭାବରେ କୃଷି ବିଭାଗର ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବାରୁ କୃଷି ବିଭାଗ ଓ ଦେବଦତ୍ତ କ୍ଳବକୁ କୃତଜ୍ଞତା ଜଣାଇଛନ୍ତି ।


