ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ ।
ହତ୍ୟାରେ ଦାଦନ ସର୍ଦାରଙ୍କ ସମ୍ପୃକ୍ତି ଅଭିଯୋଗ ।
ଘଟଣାକୁ ଚାପିବାକୁ ଉଦ୍ୟମ !
ମୋ ପୁଅକୁ ହତ୍ୟା କରାଯାଇଛି – ମୃତକଙ୍କ ମା।
ପାଟଣାଗଡ଼(ସନ୍ତୋଷ ପଣ୍ଡା)-ଗରିବ ନିରୀହ, ନିଷ୍ପେସିତ ଆଦିବାସୀ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ସିକନ୍ଦାରବାଦ ଦାଦନ ଖଟି ଯାଇଥିଲେ।ତାଙ୍କ ଆଶା ଆଶାରେ ରହିଗଲା। ତାଙ୍କ ଶବ ମଧ୍ୟ ଗାଁକୁ ଫେରିପାରିଲାନାହିଁ। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ସୋଲବନ୍ଧ ଗାଁରେ। ସୂଚନାନୁସାରେ ପାଟଣାଗଡ଼ ଥାନା ସୋଲବନ୍ଧ ଗାଁର ୩୨ ବର୍ଷିୟ ଗଣେଶ ଶବର, ୨୭ ବର୍ଷିୟ
ତାଙ୍କ ପତ୍ନୀ ସୁନତି ଶବର ଓ ନାବାଳକ ପୁଅ ଗତ ଦଶହରା ସମୟରେ ଦାଦନ ସର୍ଦ୍ଦାର ଦେବାଶିଷ ପାଣିଗ୍ରାହୀଙ୍କ ମାଧ୍ୟମରେ ସିକନ୍ଦାରବାଦକୁ ଇଟା ଗଢିବା ପାଇଁ ଯାଇଥିଲେ। ଗତ ୧୨ ଦିନ ତଳେ ଦାଦନ ସର୍ଦ୍ଦାର ଦେବାଶିଷ ପାଣିଗ୍ରାହୀଙ୍କ ନିର୍ଦେଶରେ ଦାଦନ ଯାଇ ସେଠାରେ ବନ୍ଧାପଡ଼ିଥିବା ଜଣେ ମହିଳାଙ୍କୁ ଆଣି ନିଜ ଗାଁ ସୋଲବନ୍ଧକୁ ଆସିଥିଲେ।
ତାଙ୍କ ସ୍ତ୍ରୀ ଓ ନାବାଳକ ପୁଅକୁ ସିକନ୍ଦାରବାଦ ରେ ଛାଡିଆସିଥିବାରୁ ଓ ଦାଦନ ସର୍ଦାର ଙ୍କ ଧମକ ଚମକ ଯୋଗୁଁ ବାଧ୍ୟ ହୋଇ ଗତ ରବିବାର ପୁଣି ସିକନ୍ଦାରବାଦକୁ ବଲାଙ୍ଗିରରୁ ଟ୍ରେନରେ ଯାଉଥିଲେ। ରବିବାର ସନ୍ଧ୍ୟା ୮ ଟା ସମୟରେ ତାଙ୍କ ମା ସହ ଫୋନରେ ଅନେକ ସମୟ କଥାବାର୍ତ୍ତା ହୋଇଥିଲେ। ହଠାତ ମଙ୍ଗଳବାର ସକାଳୁ ତାଙ୍କ ମାଙ୍କ ନିକଟକୁ ଫୋନ ଆସିଥିଲା ତୁମ ପୁଅ ଆଉ ନାହିଁ। ୱାଲଟିୟର ଠାରୁ ୯୭ କିଲୋମିଟର ଦୂରରେ ଥିବା ଟୁନି ଷ୍ଟେସନରେ ତାଙ୍କ ଶବ ପଡ଼ିଥିବା ଥିବା ସେଠାକାର ରେଲୱେ ପୋଲିସ ସୂଚନା ଦେଇଥିଲେ। ମୃତ ସ୍ଥାନକୁ ଦାଦନ ସର୍ଦ୍ଦାର ଦେବାଶିଷ ପାଣିଗ୍ରାହୀ ପହଞ୍ଚି ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଗଣେଶର ଶବକୁ ପୋଡିଦେଇଥିବା ଅଭିଯୋଗ ହୋଇଛି ।
ମୃତକଙ୍କ ମା ଦେଇଥିବା ବୟାନ ଅନୁସାରେ ଶନିବାର ସନ୍ଧ୍ୟା ସମୟରେ ଦାଦନ ସର୍ଦାର ଦେବାଶିଷ ପାଣିଗ୍ରାହୀଙ୍କ ସହ ଦୁଇ ଜଣ ଆମ ଘରକୁ ଆସିଥିଲେ। ମୋ ପୁଅକୁ ସିକନ୍ଦାରବାଦ ଯିବାପାଇଁ ବାଧ୍ୟ କରିଥିଲେ। ମୋ ପୁଅ ରବିବାର ଦିନ ୧୦ ଟା ସମୟରେ ବାହାରିଥିଲା ମୁଁ ସେହିଦିନ ସନ୍ଧ୍ୟା ୮ ଟାରେ ଫୋନରେ ପୁଅ ସହ କଥାବାର୍ତ୍ତା ହୋଇଥିଲି। ମଙ୍ଗଳବାର ସକାଳୁ ମୋ ପୁଅ ମରିଯାଇଥବା ଫୋନ ଆସିଲା। ମୋ ପୁଅକୁ ମାରିଦେଇଛନ୍ତି। ମୋ ପୁଅର ଶବକୁ ଫେରାଇ ଆଣିଦିଅ ବୋଲି ନେହୁରା ହୋଇଥିଲେ। ଅପରପକ୍ଷରେ ମୃତକ ଗଣେଶର ଫୋଟୋକୁ ଯଦି ଅନୁଧ୍ୟାନ କରାଯାଏ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି । ମୃତକ ଗଣେଶର ଶବ ଏକ ନିଛାଟିଆ ସ୍ଥାନରେ ପଡ଼ିଥିବାରୁ ପ୍ରଥମେ ହତ୍ୟା କରାଯାଇ ଟ୍ରେନରୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।
ବିଶ୍ୱସ୍ତସୂତ୍ରରୁ ମିଳିଥିବା ଖବରନୁସାରେ ଦାଦନ ସର୍ଦ୍ଦାର ଦେବାଶିଷ ପାଣିଗ୍ରାହୀ ମୃତକଙ୍କ ପରିବାରକୁ ମୋଟା ଅଙ୍କର ଅର୍ଥ ଦେଇ ଘଟଣାକୁ ଚପାଇଦେବାକୁ ଉଦ୍ୟମ ଜାରିରଖିଥିବା ସୂଚନା ମିଳିଛି।ବୁଧବାର ମୃତକଙ୍କ ମା କୁରମି ଶବର ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଏ ବିଷୟରେ ପାଟଣାଗଡ଼ ଥାନାଧିକାରୀ ହରିବନ୍ଧୁ ଗଡତିଆଙ୍କୁ ପଚାରିବାରୁ ଏକ ଲିଖିତ ଅଭିଯୋଗ ଆସିଛି,ଘଟଣା ହୋଇଥିବା ସ୍ଥାନ ଟୁନି ଷ୍ଟେସନ ଠାରେ ରେଲୱେ ପୋଲିସ ପକ୍ଷରୁ ଏକ ମାମଲା ହୋଇଛି ବୋଲି ସୂଚନା ଦେଇଛନ୍ତି।
ଅନ୍ୟପଟେ ମୃତକଙ୍କ ପରିବାର ନିକଟକୁ ସନ୍ଧ୍ୟା ୬ ଟା ସମୟରେ ପାଟଣାଗଡ଼ ଏଏଲଓ ଦୀପା ନେଟି, ବେଲପଡା ଏଏଲଓ ବିନୋଦ ବିହାରୀ ନାଏକ ଓ ବଲାଙ୍ଗିର ଏଏଲଓ କେଶବ ବେହେରା ପହଂଚି ତଦନ୍ତ ଜାରିରଖିଛନ୍ତି।ରାଜ୍ୟ ସରକାର ଦାଦନ ଚାଲାଣ ବନ୍ଦ କରିବାକୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି ଓ ଦାଦନ ଚାଲାଣ ବନ୍ଦ କରିବା ପାଇଁ ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା ଏହି ଘଟଣାକୁ ଦେଖିଲେ ସରକାରଙ୍କ ମିଛ ପ୍ରତିଶୃତି ବୋଲି ପ୍ରମାଣିତ ହେଉଛି। ଏହି ଘଟଣାରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ଓ ଦାଦନ ସର୍ଦାରଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି ହେଉଛି।