ପଦ୍ମପୁର-ସମ୍ବଲପୁରୀ ବସ୍ତ୍ର ହେଉଛି ପଶ୍ଚିମ ଓଡ଼ିଶାର ଅସ୍ମିତାର ପରିଚୟ। ଭୁଲିଆ ସମାଜର ବୁଣାକାରମାନେ ଦିନ ରାତି କଠିନ ପରିଶ୍ରମ କରି ସମ୍ବଲପୁରୀ ବସ୍ତ୍ର ତିଆରି କରିଥାନ୍ତି। ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ ଏହାର ବିକ୍ରି ମଧ୍ୟ ଭୁଲିଆ ସମାଜର ବ୍ୟବସାୟୀମାନେ କରିଥାନ୍ତି। ତେବେ ବୋଡ଼ାସମ୍ବର ଅଞ୍ଚଳ ଭୁଲିଆ ସମାଜର ଏକ ପ୍ରମୁଖ କେନ୍ଦ୍ର, ଯେଉଁଠି ବହୁ ସଂଖ୍ୟାରେ ଭୁଲିଆ ପରିବାର ବସବାସ କରିଥାନ୍ତି। କିନ୍ତୁ ଧୀରେ ଧୀରେ ସମ୍ବଲପୁରୀ ବସ୍ତ୍ରର ଚାହିଦା ଲୋକଙ୍କ ମଧ୍ୟରେ କମିବାରେ ଲାଗିଛି। ତେବେ ଏ ସଂକ୍ରାନ୍ତରେ କିଛି ପଦକ୍ଷେପ ନେବା ପାଇଁ ଚିନ୍ତା କରିଛି ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚ।

ଶନିବାର ଦିନ ଯୁବାମଞ୍ଚ ତରଫରୁ ସଭାପତି ଶ୍ରୀ ରୀତେଶ ରଂଜନ ମେହେର ଓ ସମ୍ପାଦକ ଶ୍ରୀ ଚିନ୍ମୟ ମେହେର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟି ସମ୍ବଲପୁରୀ ବସ୍ତ୍ରକୁ ଆଗାମୀ ଶିକ୍ଷାବର୍ଷରୁ ଗଣବେଶ ଭାବେ ଲାଗୁ କରିବା ପାଇଁ ଅନୁରୋଧ କରିଥିଲେ। ତେବେ ଅଧ୍ୟକ୍ଷ ଶ୍ରୀ ଖଗେଶ୍ବର ଦାଶ ମଧ୍ୟ ଏହିଭଳି ଗୋଟିଏ ପ୍ରସ୍ତାବ ପାଇ ବହୁତ ଖୁସି ହୋଇଥିଲେ ଓ ନିଶ୍ଚିତ ଭାବରେ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅଞ୍ଚଳ ମହାବିଦ୍ୟାଳୟରେ ଏହି ବର୍ଷରୁ ହିଁ ଦଶଟି ବିଭାଗରେ ସ୍ନାତକୋତ୍ତର (ପିଜି) ଶିକ୍ଷା ଆରମ୍ଭ ହେବାକୁ ଯାଉଛି।

ଅଧ୍ୟକ୍ଷ ଶ୍ରୀ ଦାଶ ଏହି ବର୍ଷରୁ ହିଁ ନୂତନ ଭାବରେ ପିଜି ରେ ନାମ ଲେଖାଇବାକୁ ଯାଉଥିବା ବିଦ୍ୟାର୍ଥୀମାନଙ୍କର ଗଣବେଶକୁ ସମ୍ବଲପୁରୀ କରିବା ପାଇଁ ଓ ଆଗାମୀ ବର୍ଷରୁ ଯୁକ୍ତଦୁଇ ତଥା ଯୁକ୍ତତିନି ଉଭୟ ଶ୍ରେଣୀ ପାଇଁ ମଧ୍ୟ ସମ୍ବଲପୁରୀ ବସ୍ତ୍ର ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମ୍ବଲପୁରୀ ବସ୍ତ୍ର କେବଳ ପଶ୍ଚିମ ଓଡ଼ିଶାର ସଂସ୍କୃତିର ଅଂଶବିଶେଷ ନୁହେଁ, ବରଂ ଏହା ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ମଜବୁତ କରିବା ପାଇଁ ଏକ ପ୍ରମୁଖ ମାଧ୍ୟମ। ତେବେ ଏହା ଲାଗୁ ହେଲେ ପଦ୍ମପୁର ତଥା ଆଖପାଖ ଅଞ୍ଚଳର ଆର୍ଥିକ ବିକାଶରେ ମଧ୍ୟ ସହାୟକ ହୋଇପାରିବ ବୋଲି ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚର ସଭାପତି ଶ୍ରୀ ରୀତେଶ ରଂଜନ ମେହେର ମତ ଦେଇଛନ୍ତି।

ଆଗାମୀ ସମୟରେ ବୋଡ଼ାସମ୍ବର ଅଞ୍ଚଳର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ମଧ୍ୟ ସମ୍ବଲପୁରୀ ଗଣବେଶ ଆରମ୍ଭ କରିବା ପାଇଁ ଭୁଲିଆ ସମାଜର ଯୁବାମଞ୍ଚ ପ୍ରୟାସ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀ ରୀତେଶ ରଂଜନ ମେହେର ୨୦୧୮ ମସିହାରେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ଉପସଭାପତି ଥିବା ବେଳେ ସେଠାରେ ମଧ୍ୟ ସେ ସମ୍ବଲପୁରୀ ଗଣବେଶ ଆରମ୍ଭ କରାଇଥିଲେ।ତାଙ୍କର ପ୍ରସ୍ତାବକୁ ବିଶ୍ବବିଦ୍ୟାଳୟର କୁଳପତି ଆଦର ସହକାରେ ସ୍ୱୀକାର କରିବା ସହ ସାଙ୍ଗେ ସାଙ୍ଗେ କାର୍ଯ୍ୟକାରୀ କରାଇଥିଲେ। ତେବେ ପଦ୍ମପୁର ଅଞ୍ଚଳର ଅନ୍ୟାନ୍ୟ କଲେଜରେ ମଧ୍ୟ ଆଗାମୀ ସମୟରେ ସମ୍ବଲପୁରୀ ବସ୍ତ୍ରକୁ ଗଣବେଶ ଭାବରେ ଲାଗୁ କରାଗଲେ ଅଞ୍ଚଳର ବିକାଶ ଆହୁରି ହେବ ବୋଲି ଯୁବାମଞ୍ଚ ତରଫରୁ ମତ ଦିଆଯାଇଛି।



