Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟଠାରେ ‘ଆମ ସାହିତ୍ୟ ଉତ୍ସବ-୨୦୨୬’ ଅନୁଷ୍ଠିତ ।

ଅଞ୍ଚଳ ମହାବିଦ୍ୟାଳୟଠାରେ ‘ଆମ ସାହିତ୍ୟ ଉତ୍ସବ-୨୦୨୬’ ଅନୁଷ୍ଠିତ ।

ପଦ୍ମପୁର-ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷଠାରେ ସମ୍ବଲପୁରୀ କୋଶଲୀ ସାହିତ୍ୟର ଉନ୍ନତି ଓ ପ୍ରଚାର ପ୍ରସାର ନିମନ୍ତେ ‘ଆମ ସାହିତ୍ୟ ଉତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଖଗେଶ୍ୱର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ଶ୍ରୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଗୀତା ଦୀପ ଅତିଥି ପରିଚୟ ପ୍ରଦାନ କରିଥିଲେ । ‘ଆମ ସାହିତ୍ୟ’ର ଆବାହକ ତଥା ପ୍ରତିଷ୍ଠାତା ପ୍ରଶାନ୍ତ ମେହେର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ମାତୃଭାଷାର ସେବା ଓ ସାହିତ୍ୟର ଗୁରୁତ୍ୱ ଉପରେ ନିଜର ଅଭିଭାଷଣ ରଖିଥିଲେ ।

ବିଶିଷ୍ଟ ବକ୍ତା ଭାବେ ବନବାସ ମେହେର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଉତ୍ପନ୍ନ କୁମାର ଭୋଇ ଏବଂ ସମ୍ମାନିତ ଅତିଥି ଭାବେ ସୁମନ ନାଏକ ଓ ଓଡ଼ିଆ ବିଭାଗ ମୁଖ୍ୟ ଡ. ସରୋଜ କୁମାର ନାଏକ ମଞ୍ଚାସୀନ ଥିଲେ । ଏହି ଅବସରରେ ‘ପ୍ରତିଭା ପୂଜା’ ପର୍ବରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ ନାଟ୍ୟକାର ରାଜ କୁମାର ସାହୁ, କବି ଅନନ୍ତ କୁମାର ମେହେର, ଯୋଗେଶ୍ବର ବିଶ୍ବାଳ, ସନ୍ତୋଷ କୁମାର ମିଶ୍ର, କବୟିତ୍ରୀ ଲିପ୍ସା ବାରିକ, ପାଲା ଗାୟିକା ରଶ୍ମି ସାହୁ, ଦଣ୍ଡ କଳାକାର ରଣଜିତ ନାଗ ଏବଂ ଲୋକ କଳାକାର ରମେଶ ଗୁର୍ଲା ପ୍ରମୁଖ ସମ୍ମାନିତ ହୋଇଥିଲେ ।

ଉତ୍ସବର ଦ୍ୱିତୀୟ ଅଧିବେଶନରେ ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କବିତା ପାଠ ଆୟୋଜିତ ହୋଇଥିଲା ।ମହାବିଦ୍ୟାଳୟର କର୍ମଚାରୀ ,ଛାତ୍ରଛାତ୍ରୀ ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ନିମନ୍ତ୍ରିତ କବି ସ୍ୱରଚିତ କବିତା ପାଠ କରିଥିଲେ । ଏହା ସହିତ ରଶ୍ମି ସାହୁ ଓ ସାଥୀଙ୍କ ଦ୍ୱାରା ପାଲା ପରିବେଷଣ ଏବଂ ରଣଜିତ ନାଗ ଓ ସାଥୀଙ୍କ ଦ୍ୱାରା ଦଣ୍ଡ ନୃତ୍ୟ ପରିବେଷିତ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । କବିତା ପାଠରେ ଅଂଶଗ୍ରହଣ କରିଥିବା ସମସ୍ତ କବିଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସୁରେନ୍ଦ୍ର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!